ଭୁବନେଶ୍ୱର: ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିଚାଳନା, କ୍ଷୟକ୍ଷତି ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୪୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି।
ରବିବାର ଦିନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ବନ୍ୟା ପରିସ୍ଥିତିର ସୁଚାରୁ ପରିଚାଳନା ତଥା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି କର୍ମଚାରୀମାନଙ୍କୁ ତୁରନ୍ତ ପ୍ରଭାବରୁ ନିୟୋଜିତ କରାଯାଇଛି।
ଏହି ଦଳରେ ୬ ଜଣ ବ୍ଲକ କୃଷି ଅଧିକାରୀ (BAO) ଓ ସହକାରୀ କୃଷି ଅଧିକାରୀ (AAO), ୫୫ ଜଣ କୃଷି ଓଭରସିୟର, ୩୦ ଜଣ ଗ୍ରାମ କୃଷି କର୍ମୀ (VAW), ୩୫ ଜଣ ଉଦ୍ୟାନ କୃଷି (ହର୍ଟିକଲଚର) ଓଭରସିୟର ଏବଂ ୧୯ ଜଣ ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ (HEW) ଅନ୍ତର୍ଭୁକ୍ତ ଅଛନ୍ତି।
ନିର୍ଦ୍ଦେଶନାମାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ବର୍ତ୍ତମାନର ଦାୟିତ୍ୱରୁ ତୁରନ୍ତ ମୁକ୍ତ ହୋଇ ଗଞ୍ଜାମର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (CDAO) କିମ୍ବା ଉପ-ନିର୍ଦ୍ଦେଶକ, ଉଦ୍ୟାନ କୃଷି (DDH)ଙ୍କ ନିକଟରେ ବିଳମ୍ବ ନକରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଫସଲ ଓ ଅନ୍ୟାନ୍ୟ କୃଷିଜନିତ କ୍ଷୟକ୍ଷତିର ଆକଳନ କରିବା, ପ୍ରଭାବିତ ଚାଷୀଙ୍କୁ ସହାୟତା ଯୋଗାଇବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଠିକ୍ ସମୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରିବା ଦିଗରେ ଜିଲ୍ଲା ପ୍ରଶାସନର ପ୍ରୟାସକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଯୁକ୍ତି କରାଯାଇଛି।