ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଲେ ପୋଲିସ ଡିଜି

ବ୍ୟୁରୋ-: ସମ୍ବଲପୁର ଗସ୍ତରେ ଆସି ମାଓବାଦୀଙ୍କୁ ପୋଲିସ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆଙ୍କ ଆହ୍ୱାନ ଦେଇଛନ୍ତି । ହଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ଆଉ ସରେଣ୍ଡର ପଲିସିର ଲାଭ ଉଠାଇବାକୁ ସେ କହିଛନ୍ତି । ପୂର୍ବରୁ ୨୧ଟି ଜିଲ୍ଲା ମାଓପ୍ରବଣ ଥିଲା ହେଲେ ବର୍ତ୍ତମାନ ଏ ସଂଖ୍ୟା କମି ୭ରେ ପହଞ୍ଚିଛି ।

ସମ୍ବଲପୁର ଗସ୍ତରେ ଆସି ଗୁରୁବାର ସକାଳେ ସର୍ବ ପ୍ରଥମେ ମା’ ସମଲେଶ୍ୱରୀ ପୀଠରେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ୱାଇ.ବି.ଖୁରାନିଆ । ଏହା ପରେ ସେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନିଜନିଜ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରି ଦକ୍ଷତାର ସହ ଲୋକଙ୍କୁ ସେବା ଯୋଗାଇଥିବା ଉତ୍ତରାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଜଣ ଦକ୍ଷ ପୋଲିସ କର୍ମଚାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ପଦକ ପ୍ରଦାନ କରିଥିଲେ। ଏହି ଅବସରରେ ସେ ସମସ୍ତ ପଦକ ବିଜେତା ପୋଲିସ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାସହ ଦକ୍ଷତା ସହକାରେ ଉତ୍କୃଷ୍ଟ କାର୍ଯ୍ୟ କରିବାକୁ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଦକ୍ଷତାର ସହ କାର୍ଯ୍ୟ କରି ଶହୀଦ ହୋଇଥିବା ଦିବଙ୍ଗତ ପୋଲିସ ଅଧିକାରୀଙ୍କ ପରିବାରଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଉତ୍ତରାଞ୍ଚଳ ପୋଲିସ ରେଞ୍ଜ ଅଧିନର ସବୁ ଜିଲ୍ଲାର ଏସପି ମାନଙ୍କ ସହିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମାଓ ଅଞ୍ଚଳରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ସେ ନେଇ ମଧ୍ୟ ସମୀକ୍ଷା କରାଯାଇଛି । ଆଗକୁ ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଛି । ଆଇନ ଶୃଙ୍ଖଳା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ମାଓ ଦମନ ରାଜ୍ୟରେ କମି କମି ଆସୁଛି । ଉତ୍ତରାଞ୍ଚଳ ଅଞ୍ଚଳରେ ଗୋଟିଏ ସ୍ଥାନରେ ଏବେ ବି ଚାଲିଛି ମାଓ ଅପରେସନ । ଛତିଶଗଡ- ଆନ୍ଧ୍ର ସୀମାରେ ତୀକ୍ଷ୍ଣ ନଜର ରଖାଯାଇଛି । ବିଭିନ୍ନ ସ୍ଥାନରେ ଅପରେସନରେ ସଫଳତା ମଧ୍ୟ ମିଳିଛି । ଯେଉଁ ଜିଲାରେ ମାଓ ସକ୍ରିୟ ଅଛନ୍ତି ସେହିଁ ସ୍ଥାନରେ ଅପରେସନ ଚାଲିଥିବା ସେ ପ୍ରକାଶ କରିଛନ୍ତି ।