ପନିର ଖାଉଥିଲେ ସାବଧାନ ! ଆପଣ ଖାଉଥିବା ପନିର ଅସଲି ନୁହଁ । ବଜାରରେ ବିକ୍ରି ହେଉଥିବା ଏହି ଅପମିଶ୍ରିତ ପନିରକୁ ଖାଇଲେ ଶରୀରରେ ଏହା ସ୍ଲୋ ପଏଜନ ଭଳି ହୋଇଥାଏ । ଆଉ ଅଧିକ ଦିନ ଧରି ଏହାକୁ ଖାଇଲେ ଏହାର ନକରାତ୍ମକ ପ୍ରଭାବ ମଧ୍ୟ ଶରୀର ଉପରେ ପଡିବ । ଅପମିଶ୍ରିତ ପନିର ନାଁରେ ନକଲି ସାମଗ୍ରୀ ବିକ୍ରି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୭୦ କ୍ୱିଣ୍ଟାଲ ପନିର ଜବତ ସହ ନଷ୍ଟ କରାଯାଇଛି । ଜବତ ହୋଇଥିବା ପନିର ନିଆଳି ଅଞ୍ଚଳରୁ ଆସିଥିବା ସୂଚନା ମିଳିଛି ।

ତେବେ ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଫୁଡ୍ ସେଫ୍ଟି ଚଢ଼ାଉ କରି ଛେନା, ପନୀର ଓ ମିଠାର ଟିକିନିଖି ଯାଞ୍ଚ କରିଛି । ଗତକାଲି କଟକର ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରି ଅସୁରକ୍ଷିତ ପନୀର ଜବତ କରାଯାଇଥିଲା। ଏହା ପରେ ଏବେ ଭୁବନେଶ୍ୱରରେ ଆକ୍ସନ୍ ମୋଡ୍କୁ ଆସିଛି ଫୁଡ୍ ସେଫ୍ଟି ବିଭାଗ । ଛେନା, ପନୀର ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ରାସାୟନିକ ପରୀକ୍ଷା କରାଯାଉଛି।ଖାଦ୍ୟରେ କୌଣସି କ୍ଷତିକାରକ କିମ୍ବା ଅସୁରକ୍ଷିତ ପଦାର୍ଥ ମିଶିଛି କି ନାହିଁ, ତାହାର ଯାଞ୍ଚ କରୁଛି ଫୁଡ୍ ସେଫ୍ଟି ଟିମ୍। କେଉଁ ଦୋକାନରେ ଅସୁରକ୍ଷିତ ମିଠା, ଛେନା କିମ୍ବା ପନୀର ବିକ୍ରି ହେଉଛି, ସେନେଇ ମଧ୍ୟ ଚାଲିଛି ଖୋଳତାଡ଼। ପାର୍ବଣ ଓ ମିଠାର ଚାହିଦା ବଢ଼ୁଥିବା ବେଳେ ଖାଦ୍ୟର ମାନ ଓ ସୁରକ୍ଷା ଯାଞ୍ଚକୁ ଗୁରୁତ୍ୱ ଦେଇ ଏହି ଚଢ଼ାଉ ଜାରି ରହିଛି।
