ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର । ଏସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ସେପଟେ ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ।

ଉତ୍ତର ଛତିଶଗଡ଼ରେ ଥିବା ଘୂର୍ଣ୍ଣିବଳୟ ଓ ମୌସୁମୀ ନିମ୍ନଚାପରେଖା ଯୋଗୁଁ ଗତ ୨୪ ଘଣ୍ଟାରେ କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ବରଗଡ଼ ଓ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି । ନୟାଗଡ଼ର ରଣପୁରରେ ୧୧୨.୬ ମି.ମି., ନବରଙ୍ଗପୁରର ରାଇଘରରେ ୧୧୦ ମି.ମି., କଳାହାଣ୍ଡି କୋକସରାରେ ୮୦ ମି.ମି., ବରଗଡ଼ର ଭଟଲି, ନବରଙ୍ଗପୁରର ଝରିଗାଁ ଏବଂ ଚନ୍ଦାହାଣ୍ଡିରେ ୭୫ ମି.ମି ଲେଖାଏଁ, ନୂଆପଡ଼ାରେ ୬୩.୮ ମି.ମି., ଭବାନୀପାଟଣାରେ ୬୨.୨ ମି.ମି., ଧର୍ମଗଡ଼ରେ ୫୪.୨ ମି.ମି ଏବଂ ଜୁନାଗଡ଼ରେ ୪୯.୬ ମି.ମି ବର୍ଷା ହୋଇଛି ।