ଝଡଖଣ୍ଡରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ

ନୂଆଦିଲ୍ଲୀ: ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୪ ମାଓବାଦୀ । ଝାଡଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କ ଏନ କାଉଣ୍ଟରରେ ୪ ମାଓବାଦୀ ନିହତ । ଜଣେ ଜୋନାଲ କମାଣ୍ଡର , ୨ ଏରିଆ କମାଣ୍ଡର ସମେତ ୪ଜଣ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେବେ ଏନେଇ ପଶ୍ଚିମ ସିଂହଭୂମ ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ଯେ ଏବେବି ଘଟଣାସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନା ଅନୁଯାୟୀ ,  ଦୁଇ ଦିନ ତଳେ (ଶନିବାର) ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ୮ ନକ୍ସଲ ନିହତ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିଲା। ନିହତ ହୋଇଥିବା ୮ ନକ୍ସଲଙ୍କ ମଧ୍ୟରୁ ୬ ଜଣ ବରିଷ୍ଠ କ୍ୟାଡର ନକ୍ସଲ ଥିଲେ ଓ ସେମାନଙ୍କ ମୁଣ୍ଡରେ ମିଳିତ ଭାବେ ୪୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହା ପୂର୍ବରୁ ଜୁନ୍ ୫ ତାରିଖରେ ନାରାୟଣପୁରରେ ହୋଇଥିବା ଏନ୍‌କାଉଣ୍ଟରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଗତ ମେ’ ୨୩ ତାରିଖରେ ନାରାୟଣପୁର-ବିଜାପୁର ସୀମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିଲେ।