ଦୁଇଦିନ ଲଗାଣ ବର୍ଷା ପରେ ବଦଳିଛି ପାଗ

ଭୁବନେଶ୍ୱର: ରାଜ୍ୟରେ ଦୁଇଦିନ ଲଗାଣ ବର୍ଷା ପରେ ଆଜି ବଦଳିଛି ପାଗ । ଏପଟେ କାଲି ଠାରୁ ଉପରମୁହାଁ ହେବ ପାରଦ । ପୁଣି ସାରା ରାଜ୍ୟରେ ବଡିବ ତାପମାତ୍ରା । କାଲିଠୁ ୨୪ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବାର ସମ୍ଭାବନା ମଧ୍ୟ ରହିଛି । ଦୁଇଦିନର ଲଗାଣ ବର୍ଷା ପରେ ଆଜି ଖରା ଦେଖିବାକୁ ମିଳିଛି। ଆଜି ସକାଳୁ ପାଗରେ ପରିବର୍ତ୍ତନ ସହ ଟୁଇନସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଟୁଇନସିଟି କଟକ-ଭୁବନେଶ୍ବରରେ ପ୍ରବଳ ଥଣ୍ତା ସହ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୨୦ ମିଟର ରହିଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।