ପ୍ରାପ୍ୟ ମାଗିବାରୁ ବିଜେପି ନେତାଙ୍କ ହତ୍ୟା ଧମକ

(ଆଦର୍ଶ ରାଉତ) ଅନୁଗୁଳ : ପରିବାର ପ୍ରତିପୋଷଣ ଆଶା ନେଇ ଲୋକେ ଘର ପରିବାରଠୁ ଦୂରରେ ରହିବାକୁ ବାଧ୍ୟ ହେଉଛନ୍ତି । ହାଡଭଙ୍ଗା ପରିଶ୍ରମକୁ ବି ଖାତିର କରୁନାହାନ୍ତି । କିନ୍ତୁ ଏସବୁ ପରେ ଯଦି ଜଣେ ପାରିଶ୍ରମିକ ନ ପାଏ. ଯଦି ତାକୁ ଜୀବନରୁ ମାରିଦେବାକୁ ଧମକ ମିଳେ ଓ ସେ ଧମକ ଜଣେ ରାଜନେତା ଦିଅନ୍ତି ତେବେ ସେ କରିବ କ’ଣ?
ଏମିତି ଏକ ଘଟଣା ଖୋର୍ଦ୍ଧାର ମୁକ୍ତାପୁର ନିବାସୀ ସୁଦାମ ସେଠୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଥାନା ଅଧୀନ ମୁକ୍ତାପୁର ଗ୍ରାମର ସୁଦାମ ସେଠୀ ଭୁବନେଶ୍ୱରର ଝାରପଡାସ୍ଥିତ ମହେଶ ଷ୍ଟିଲ ୱାର୍କସକ୍ରେ କାମକରନ୍ତି । ଏହି କମ୍ପାନୀ ଷ୍ଟିଲ ସାମଗ୍ରୀ ତିଆରି କରିଥାଏ । ଗତ ନଭେମ୍ବର ମାସରେ କମ୍ପାନୀ ତରଫରୁ ସୁଦାମ ଓ ତାଙ୍କ କିଛି ସହକର୍ମୀ ଅନୁଗୁଳର ପଞ୍ଚମହଲ, ନୁଆମୌଜାର ନିବାସୀ ସନ୍ତୋଷ କୁମାର ନାୟକଙ୍କ ଘରକୁ ଯାଇଥିଲେ । ସନ୍ତୋଷ ନାୟକ ଚଳିତ ନିର୍ବାଚନର ବିଜେପି ଦଳର ଜଣେ ଆଶାୟୀ ପ୍ରାର୍ଥୀ ଅଟନ୍ତି ।
ନାୟକଙ୍କ ଘରେ ଷ୍ଟିଲ ରେଲିଂ କାମ ୪ ଦିନ ଧରି ଚାଲିଥିଲା । କାମ ସରିବା ପରେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳିଲା ନାହିଁ । ଏହାମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ ସୁଦାମଙ୍କୁ ତାଙ୍କ ପ୍ରାପ୍ୟ ମିଳିନାହିଁ । ଏଥିନେଇ ସେ ୪ ଥର ଅନୁଗୁଳ ଗଲେଣି । ୩ ଥର ସେ ଘରେ ନ ଥିବା କୁହାଯିବାରୁ ୪ର୍ଥ ଥର ସୁଦାମ ସେଠାରେ ଅଡିବସିଥିଲେ ଦେଖାକରିବାକୁ । ୪ ଘଣ୍ଟା ପରେ ନାୟକ ଘରୁ ବାହାରି ସୁଦାମଙ୍କୁ ଗାଳିଗୁଲଜ ଓ ମାଡ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥିନେଇ ସୁଦାମ ସେଠୀ ଅନୁଗୁଳର ମୋଡାଲ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦେଇଛନ୍ତି । ତେବେ ଦେଖିବାର ଅଛି କେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଓ ସେ ତାଙ୍କ ପ୍ରାପ୍ୟ ପାଇପାରିବେ?
ଏଠି ମନରେ ଏକ ପ୍ରଶ୍ନ ଉଠୁଛି, ଯଦି ଜଣେ ଆଶାୟୀ ପ୍ରାର୍ଥୀଙ୍କ ବ୍ୟବହାର ନିର୍ବାଚନ ସମ୍ମୁଖରେ ଥିବା ବେଳେ ଏପରି ରହିଛି, ନିର୍ବାଚନ ପରେ ଯଦି ସେ ଜିତି ଯାଆନ୍ତି ତାଙ୍କ କାର୍ଯ୍ୟକଳାପ କି ଉଗ୍ର ହେବ ତାହା ସହଜରେ ଅନୁମେୟ । ଏପରି ସ୍ଥଳେ ଲୋକେ କିପରି ଏହି ରାଜନେତାଙ୍କୁ ଭରସା କରିବେ ଓ ଭୋଟ ଦେବେ?