ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । କିନ୍ତୁ ଉତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଅନୁଭୂତ ହୋଇପାରେ ତେଣୁ ଆଜିଠୁ ହେବ ପ୍ରବଳ ଜାଡ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି କରିବ କଲବଲ । ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି। ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର।