ରାୟପୁର: ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବୁଧବାର ରାୟପୁର ସାଇନ୍ସ କଲେଜ ପରିସରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ବିଜେପି ବିଧାୟକ ଅରୁଣ ସାଓ ଓ ବିଜୟ ଶର୍ମା ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଶପଥ ଗ୍ରହଣକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶପଥ ନେବା ପୂର୍ବରୁ ବିଷ୍ଣୁଦେଓ ସାଏ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ସେ ନିଜ ମା’ଙ୍କୁ ମଧ୍ୟ ଭେଟିବାକୁ ଯାଇଥିଲେ ଏବଂ ତାଙ୍କର ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ମା’ ଯଶମଣୀ ଦେବୀ ତାଙ୍କର ଆଳତି କରିଥିବା ବେଳେ ପତ୍ନୀ କୌଶଲ୍ୟା ଦେବୀ ମିଠା ଖୁଆଇଥିଲେ।