ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଝାଗମ୍’ (TVK) ଇଣ୍ଡିଆ ବ୍ଲକ୍ର ବୈଠକରେ ଯୋଗ ଦେଇଛି। ଏହି ପଦକ୍ଷେପକୁ ତାମିଲନାଡୁ କଂଗ୍ରେସ କମିଟି (TNCC) ସଭାପତି ମାଣିକମ୍ ଟାଗୋର ଏକ ‘ଐତିହାସିକ ଦିନ’ ଭାବେ ଅଭିହିତ କରିବା ସହ ଟିଭିକେର ଯୋଗଦାନ ରାଜ୍ୟରେ ବିରୋଧୀ ମେଣ୍ଟକୁ ଅଧିକ ଶକ୍ତିଶାଳୀ ଓ ରାଜନୈତିକ ଲଢ଼େଇକୁ ରୋଚକ କରିବ ବୋଲି ପ୍ରକାଶ କରିଛନ୍ତି।
ଚେନ୍ନାଇସ୍ଥିତ TNCC କାର୍ଯ୍ୟାଳୟରେ ମାଣିକମ୍ ଟାଗୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ, ସିପିଏମ୍, ସିପିଆଇ, ଭିସିକେ, ଏମଡିଏମକେ, ଆଇୟୁଏମଏଲ୍ ସମେତ ଟିଭିକେର ପ୍ରତିନିଧି ଆଧବ ଅର୍ଜୁନ ଓ ମାରିଆ ୱିଲସନ୍ ଉପସ୍ଥିତ ଥିଲେ। ଏହି ଆଲୋଚନାଚକ୍ରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାରେ SIR ସମ୍ବନ୍ଧୀୟ ଅଭିଯୋଗ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।