ଦିଲ୍ଲୀ: ଆତଶବାଜିର ମଜା ନେଇପାରିବେ ନାହିଁ କ୍ରିକେଟ ପ୍ରେମୀ | ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଆସନ୍ତାକାଲି ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ଦୁଇଟି ସହରରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ଆତଶବାଜିକୁ ବ୍ୟାନ୍ କରାଯାଇଛି । ଦୁଇଟି ଯାକ ମେଟ୍ରୋ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବା କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି ।
ମୁମ୍ବାଇର ବାୟୁ ପ୍ରଦୂଷଣ କେତେ ମାତ୍ରାରେ ବଢିଯାଇଛି ତାହାର ଆକଳନ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ଦେଖିଲେ ଜାଣିପାରିବେ । ମୁମ୍ବାଇକୁ ଆସୁଥିବା ବେଳେ ବିମାନରୁ ନେଇଥିବା ଫଟୋ ପୋଷ୍ଟ କରି ରୋହିତ କହିଛନ୍ତି, ମୁମ୍ବାଇକୁ କଣ ହୋଇ ଯାଇଛି? ଏହି ଫଟୋରେ ମୁମ୍ବାଇର ବାୟୁମଣ୍ଡଳ ପ୍ରଦୂଷିତ ହୋଇଥିବାର ଦେଖିବାକୁ ମିଳୁଛି । ଆକାଶପଥରୁ ମୁମ୍ବାଇର କୌଣସି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରୋହିତ ଶର୍ମା ।
ତେବେ ଖରାପ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) କାରଣରୁ ଏହି ଦୁଇ ସହରରେ ଅନୁଷ୍ଠିତ ମ୍ୟାଚରେ ବାଣ ଫୁଟାଇବାକୁ ନିଷେଧ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇ ସହରର ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛି । ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି ।
ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଡ ମୁମ୍ବାଇରେ ବିଗୁଡିଥିବା ବାୟୁ ଗୁଣବତ୍ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏହାପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ବିସିସିଆଇ ଜୟ ଶାହା ଏହାକୁ ନେଇ ସୂଚନା ଦେଇଛନ୍ତି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ମଙ୍ଗଳବାର ମୁମ୍ବାଇରେ ସମୁଦାୟ AQI ୧୭୨ ଥିବାବେଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବିପଜ୍ଜନକ ସ୍ତରରେ ୨୬୦ ସ୍ତରରେ ପହଞ୍ଚିଛି ।