ମାଲବାହୀ ଟ୍ରେନ ଧକ୍କାରେ ମାଈ ହାତୀ ମୃତ

ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର) : ହାତୀ ମୃତ୍ୟୁ ରୋକିବାରେ ବନବିଭାଗ ଅସଫଳ । ଏବେ କେନ୍ଦୁଝର ଜିଲ୍ଲାରୁ ହାତୀ ବଂଶ ଲୋପ ପାଇବାକୁ ବସିଲାଣି । ଉଗ୍ର ଖଣି ଖନନ, ଜଙ୍ଗଲ କ୍ଷୟ ଓ ଲୁହା ପଥର ପରିବହନ କରୁଥିବା ମାଲବାହୀ ଟ୍ରେନ ପାଇଲଟ ମାନଙ୍କର ବେପରୁଆ ମନବୃତ୍ତି ଯୋଗୁଁ ବାରମ୍ବାର ଟ୍ରେନ ଧକ୍କାରେ ହାତୀ ମାନଙ୍କର ମୃତ୍ୟୁ ହେଉଥିଲେ ମଧ୍ୟ ବନବିଭାଗ ହାତରେ ହାତ ବାନ୍ଧି ଚୁପ ବସିବା ଏକ ଚିନ୍ତାର ବିଷୟ । ଗୋଟିଏ ସପ୍ତାହରେ ଦୁଇ ଦୁଇଟି ହାତୀର ମୃତ୍ୟୁ ଏବେ ପରିବେଶବିତ ମାନଙ୍କୁ ଚକିତ କରିଛି । ଦୁଇଦିନ ପୂର୍ବରୁ ଗୋଟିଏ ଅସୁସ୍ଥ ହାତୀ ଛୁଆ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାବେଳେ ଆଜି ବୁଧବାର ଭୋର ସମୟରେ ଚମ୍ପୁଆ ରେଞ୍ଜର ଉଚବାଲି ନିକଟରେ ଏକ ମାଇ ହାତୀ ଟ୍ରେନ ଲାଇନ ଅତିକ୍ରମ କରିବା ସମୟରେ କ୍ଷିପ୍ର ଗତିରେ ଏକ ମାଲବାହି ଟ୍ରେନ ହାତୀଟିକୁ ଧକ୍କା ଦେଇଥିଲା । ଫଳରେ ହାତୀଟି ଛିଟିକି ପଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ବନବିଭାଗର କର୍ମଚାରୀ ୨୪ ଘଣ୍ଟିଆ ପହରା ଦେଉଥିବା କହୁଥିବା ବେଳେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିବା ବନ ବିଭାଗର ପାରିବା ପାଣିଆକୁ ପଦାରେ ପକାଇଛି ବୋଲି ବୁଦ୍ଧି ପ୍ରକାଶ କରିଛନ୍ତି।