କୋରାପୁଟ/ଯୋଗେନ୍ଦ୍ର ପଟ୍ଟନାୟକ: ଅଭିନବ ଉପାୟରେ ଚୋର ମାନଙ୍କୁ କାବୁ କଲେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ। ବୈପାରିଗୁଡା ନିକଟସ୍ଥ ମାଲାଗୁଡା ଠାରେ ନିର୍ମାଣ ଚାଲିଥିବା ପାଣି ପମ୍ପ ହାଉସ ନିକଟରେ ପାଣି ଟାଙ୍କି ନିର୍ମାଣ କାମରେ ବ୍ୟବହାର ପାଇଁ ରଖାଯାଇଥିବା ଲୁହା ଛଡ଼ ଏବଂ ଏକ ଟ୍ରାକ୍ଟରର ଇଞ୍ଜିନ୍ କୁ ଚୋରି କରିବା ସମୟରେ ପମ୍ପ ହାଉସରେ କାମ କରୁଥିବା ସିକୁରିଟି ଗାର୍ଡ ଏବଂ କର୍ମଚାରୀ କୈାଶଳ କ୍ରମେ ତିନି ଚୋରକୁ କାବୁ କରିବାରେ ସଫଳ ହୋଇଛନ୍ତି।
ଦୁଇ ଦିନ ପୂର୍ବ ରାତିରୁ ଚୋରମାନେ ଟ୍ରାକ୍ଟର ଇଞ୍ଜିନ୍ ଖୋଲି ନେବାପାଇଁ ବିଫଳ ହୋଇଥିଲେ। ଇଞ୍ଜିନ୍ ଖୋଲା ହେଇଥିବା ଜାଣି ସୁକ୍ୟୁରିଟି ଗାର୍ଡ ସନ୍ଦେହ କରି ଗତକାଲି ରାତିରେ ଚୋରକୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପାଣି ଟାଙ୍କି ଉପରେ ବସି ଅନ୍ଧାରରେ ଚୋର ମାନଙ୍କୁ ଛପି ଜଗିବା ସହିତ ନିଜ କର୍ମଚାରୀ ମାନଙ୍କ ସହିତ ମୋବାଇଲରେ ଚାଟିଙ୍ଗ କରି ଚୋର ମାନଙ୍କ ଗତିବିଧିକୁ ଲକ୍ଷ୍ୟ କରୁଥିଲେ। ଚୋର ମାନେ ପୂର୍ବରୁ ଖୋଲି ରଖିଥିବା ଟ୍ରାକ୍ଟର ଇଞ୍ଜିନ୍ କୁ ଅଟୋ ରେ ଲଦିବା ସମୟରେ ସିକୁରିଟି ଗାର୍ଡ ଏବଂ କର୍ମଚାରୀ ଚୋର ମାନଙ୍କ ଉପରେ ମାଡିବସି ସେମାନଙ୍କୁ କାବୁ କରିଥିଲେ ଏବଂ ପୋଲିସକୁ ଜିମା ଦେଇଥିଲେ।