ଚିତ୍ତୋର: ଟ୍ରେନ୍ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ବଢ଼ିଚାଲିଛି ଏହି ଦୁର୍ଘଟଣା । ତେବେ ଏକ ଟ୍ରେନରେ ନିଆଁ ଲାଗିବା ଘଟଣା ପୁଣି ସାମ୍ନାକୁ ଆସିଛି । ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସରେ ଲାଗିଲା ନିଆଁ। ଟ୍ରେନ ଇଞ୍ଜିନରେ ଧୂଆଁ ବାହାରିବାରୁ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ ଅଟକିଲା ଟ୍ରେନ। ଚେନ୍ନାଇରୁ ବେଙ୍ଗାଲୁରୁ ଯାଉଥିବା ଏକ୍ସପ୍ରେସ ଟ୍ରେନ ଗୁଡିୟାଟ୍ଟମ ଷ୍ଟେସନ ଛାଡ଼ିବା ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।
ଇଞ୍ଜିନ ତଳୁ ପ୍ରବଳ ଧୁଆଁ ବାହାରିବା ଦେଖି ପାଇଲଟ ଚିତ୍ତୋର ଷ୍ଟେସନ ଠାରେ ଟ୍ରେନକୁ ଅଟକାଇଥିଲେ। ଅଗ୍ନିଶମ ବିଭାଗ ଓ ରେଳବାଇ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ବ୍ରେକ୍ ଫେଲ୍ୟୁଅରରୁ ନିଆଁ ଲାଗିଥିବା ନେଇ ସୂଚନା ଦେଇଛନ୍ତି ଡିଆରଏମ କୁସୁମା ହରିପ୍ରସାଦ। ଏଥିରେ କିଛି କ୍ଷୟକ୍ଷତି ଘଟିନଥିବା ସେ କହିଛନ୍ତି। ନିଆଁ ଆୟତ୍ତ ହେବ ପରେ ଟ୍ରେନ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।