ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ମାର୍କଣ୍ଡେଶ୍ଵର ସାହି ପାଣ୍ଡ ଜାଗା ପକ୍ଷରୁ ଦ୍ୱାଦଶ ଶ୍ରୀକ୍ଷେତ୍ର ରଜ ମହୋତ୍ସବ ଧୁମଧାମରେ ପାଳିତ ହେବ। ବୁଢ଼ୀମା ତୋଟା କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ରଜ ମହୋତ୍ସବ କମିଟି। ଆଧୁନିକ ସମାଜରେ ଦିନକୁ ଦିନ ଉତ୍କଳୀୟ ପରମ୍ପରା ତାର ସତ୍ତା ହରାଉଥିବା ବେଳେ ମାର୍କଣ୍ଡେଶ୍ଵର ସାହି ପାଣ୍ଡ ଜାଗା ପ୍ରତି ବର୍ଷ ରଜ ମହୋତ୍ସବ ଆୟୋଜନ କରିଆସୁଛି। ଏହି ଉତ୍ସବ ଜୁନ ୧୪ ତାରିଖ ଠାରୁ ଜୁନ ୧୬ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନଧରି ପାଳନ କରାଯିବ। ଏହି ଅବସରରେ ମହିଳା ଓ ଝିଅମାନଙ୍କୁ ନେଇ ପୁଚି, ଝୋଟି, ଦଉଡ଼ି ଡ଼ିଆଁ ପିଠା ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା କରାଯିବ। ରଜ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ଦ୍ଵିତୀୟ ସନ୍ଧ୍ୟାରେ ବଲିଉଡ ଖ୍ୟାତନାମା କଣ୍ଠ ଶିଳ୍ପୀ ଷ୍ଟାର୍ ପ୍ଲସ ଭଏସ ଅଫ ଇଣ୍ଡିଆ ଫେମ୍ ମହ୍ଲାର କର୍ମକାର ଓ ତାଙ୍କ ଟିମ୍ ଆଧୁନିକ ସଙ୍ଗୀତ ପରିବେଷଣ କରିବେ । ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ୟୁଟ୍ୟୁବ ମହିଳା କମେଡିଆନ କ୍ରିଷ୍ଣା ଏବଂ ତାଙ୍କ ଟିମ୍ ନିଜର କମେଡି ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିବେ । ସେହି ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ରଜ କୁଇନ ଘୋଷଣା କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପାଣ୍ଡ ଜାଗାର ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସମ୍ପାଦକ ବିଜୟ କୁମାର ସ୍ୱାଇଁ , କାର୍ଯ୍ୟକ୍ରମ ସଂଯୋଜକ ସମୀର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ।