ଗ୍ରାଉଣ୍ଡ ଜିରୋରୁ ଯୋଜନାର ସଫଳତା ମାପିବେ ସରକାର । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରକୃତ ପ୍ରଭାବ କେତେ ରହିଛି, ଲାଭାର୍ଥୀମାନେ କେତେ ଉପକୃତ ହେଉଛନ୍ତି ଏବଂ କେଉଁଠି ତ୍ରୁଟି କିମ୍ବା ବାଧା ରହିଛି, ତାହା ଶୀଘ୍ର ଜାଣିବା ପାଇଁ ରାଜ୍ୟ ସରକାର ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସରକାରୀ ଯୋଜନା ଓ କାର୍ଯ୍ୟକଳାପଗୁଡ଼ିକର ‘ରାପିଡ୍ ସର୍ଭେ-ବେସ୍ଡ ଆସେସମେଣ୍ଟ’ ବା ତ୍ୱରିତ ସର୍ଭେ ଆଧାରିତ ମୂଲ୍ୟାଙ୍କନ କରାଯିବ।
/odishatv/media/media_files/2026/05/21/odisha-cm-mohan-majhi-issues-8-point-directive-to-reduce-petrol-and-diesel-consumption-2026-05-21-22-31-55.jpg)
ସରକାରଙ୍କ ମତରେ, ଅନେକ ସମୟରେ ତୃତୀୟ ପକ୍ଷ ମୂଲ୍ୟାଙ୍କନ ରିପୋର୍ଟ ଆସିବାରେ ଦୀର୍ଘ ସମୟ ଲାଗିଯାଏ। ଫଳରେ ଯୋଜନାର କାର୍ଯ୍ୟାନ୍ବୟନରେ ଥିବା ସମସ୍ୟା କିମ୍ବା ତ୍ରୁଟି ଠିକ୍ ସମୟରେ ସରକାରଙ୍କ ନଜରକୁ ଆସିପାରେ ନାହିଁ। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଗ୍ରାଉଣ୍ଡ ଜିରୋରୁ ଶୀଘ୍ର ତଥ୍ୟ ସଂଗ୍ରହ କରାଯିବା ସହ ଲାଭାର୍ଥୀଙ୍କ ମତାମତ, ସେବା ପ୍ରଦାନର ଗୁଣବତ୍ତା ଓ ଯୋଜନାର ପ୍ରକୃତ ଫଳାଫଳକୁ ଆଧାର କରି ବିଶ୍ଳେଷଣ କରାଯିବ। ଏହାଦ୍ୱାରା ନୀତି ନିର୍ଦ୍ଧାରଣ ଓ ପ୍ରଶାସନିକ ନିଷ୍ପତ୍ତି ଅଧିକ ପ୍ରମାଣଭିତ୍ତିକ ହୋଇପାରିବ।

ନିର୍ଦ୍ଦେଶାବଳୀ ଅନୁଯାୟୀ, କୌଣସି ଯୋଜନାର ରାପିଡ୍ ସର୍ଭେ ଚାରି ମାସ ମଧ୍ୟରେ ଶେଷ କରିବାକୁ ହେବ। ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ସର୍ଭେର ରୂପରେଖା ଓ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷେତ୍ର ସର୍ଭେ, ତଥ୍ୟ ସଂଗ୍ରହ ଓ ଯାଞ୍ଚ କରାଯିବ। ଶେଷରେ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ବିଭାଗ ସହ ଆଲୋଚନା ପରେ ଅନ୍ତିମ ରିପୋର୍ଟ ଦାଖଲ କରାଯିବ। ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ “Evidence-Based Governance” ବା ପ୍ରମାଣଭିତ୍ତିକ ଶାସନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ।
୭ଟି ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ନାଇଜର ଭୁବନେଶ୍ୱର, ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ, ନାବାର୍ଡ କନସଲଟାନ୍ସି ସର୍ଭିସେସ ଓ ଏନଆଇଟି ରାଉରକେଲା ରହିଛନ୍ତି। ଏହି ସଂସ୍ଥାଗୁଡ଼ିକ ବିଭିନ୍ନ ପ୍ରଶାସନିକ ବିଭାଗର ପୁରୁଣା ଓ ନୂଆ ଯୋଜନାର ଗୁଣାତ୍ମକ ମାନ, ପରିଚାଳନାଗତ ତ୍ରୁଟି ଓ ହିତାଧିକାରୀଙ୍କ ପ୍ରତ୍ୟକ୍ଷ ମତାମତ ଉପରେ କ୍ଷେତ୍ରସ୍ତରର ସର୍ଭେ କରିବେ।