ବାପାଙ୍କ ଦଳକୁ ଫେରିବେ କି ଅଂଶୁମାନ ?

-ସବୁ ଥର ବଦଳୁଛନ୍ତି

-ଏଥର କିଏ ପାଇବ ବିଜେଡ଼ିରୁ ଟିକେଟ୍ ?

-ସୁଯୋଗ ଅପେକ୍ଷାରେ ଅଂଶୁମାନ ମହାନ୍ତି

– ବିଜେଡ଼ିରୁ ପ୍ରାର୍ଥୀ ହେବେ କି ଅଂଶୁମାନ ?

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଗତ ୩ଟି ନିର୍ବାଚନ ଫଳାଫଳକୁ ନଜର କଲେ ଗୋଟିଏ କଥା କଥା ସ୍ପଷ୍ଟ, ସବୁ ଥର ନୂଆ ମୁହଁକୁ ପସନ୍ଦ କରିଛନ୍ତି ଲୋକେ । ଭିନ୍ନ ଦଳର ହୋଇଥିଲେ ବି ଭୋଟର ନୂଆ ନେତୃତ୍ୱ ବାଛିଛନ୍ତି ।

୨୦୦୯ ନିର୍ବାଚନ ପୂର୍ବରୁ ରାଜନଗରରୁ କ୍ରମାଗତ ୭ ଥର ଜିତି ରେକର୍ଡ ସୃଷ୍ଟି କରିଥିଲେ ପୁରୁଖା ନେତା ନଳିନୀ ମହାନ୍ତି । ସୀମା ପୁନଃ ନିର୍ଦ୍ଧାରଣ ପରେ ଅର୍ଥାତ ୨୦୦୯ରେ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ଅଲେଖ କୁମାର ଜେନା ରାଜନଗରରୁ ବାଜି ମାରି ନେଇଥିଲେ । ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଦିବଂଗତ ନେତା ନଳିନୀ ମହାନ୍ତି ପରାଜୟ ହୋଇଥିଲେ ।

୨୦୧୪ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତି । ୭୬,୮୦୬ ଖଣ୍ଡ ଭୋଟ ପାଇ ବିଜେଡ଼ି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ପରାଜିତ କରିଥିଲେ ସେ । ୨୦୧୯ରେ ବିଜେଡ଼ିରୁ ଅନେକ ଆଶାୟୀ ଥିଲେ ମଧ୍ୟ ଦଳ ପୁଣି ଥରେ ଧ୍ରୁବଙ୍କୁ ବାଛି ଥିଲା । ଧ୍ରୁବ ଏଥର ବିଜୟ ଲାଭ କରିଥିଲେ । କିନ୍ତୁ ଅଂଶୁମାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ।

ତେବେ ଧ୍ରୁବ ଏବେ ବିଧାୟକ ଥିଲେ ମଧ୍ୟ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରାଜନଗର ନିର୍ବାଚନମଣ୍ଡଳୀରୁ ଏକାଧିକ ଆଶୟୀ ଅଛନ୍ତି । ଧ୍ରୁବଙ୍କୁ ନିର୍ବାଚନମଣ୍ଡଳୀରେ ବିରୋଧ ମଧ୍ୟ କରାଯାଉଛି । ଯାହାକି ଧ୍ରୁବଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତ୍ୟେକ ଥର ନୂଆ ମୁହଁ ପସନ୍ଦ କରୁଥିବା ଭୋଟର କାଳେ ଏଥର ଧ୍ରୁବଙ୍କୁ ଆଉ ପସନ୍ଦ ନ କରିବେ ସେଥିପାଇଁ ବିଜେଡ଼ି ମଧ୍ୟ ଚିନ୍ତାରେ ।

ତେଣୁ ବିଜେଡ଼ି ଏବେ ଯୋଜନା କରୁଛି ଅଂଶୁମାନଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବ । କାରଣ ଦଳ ଜାଣିଛି ଅଂଶୁମାନଙ୍କ ବାପା ନଳୀନୀ ମହାନ୍ତି ବିଜୁ ପଟ୍ଟନାୟକଙ୍କ ଏକଦମ୍ ଖାସ୍ ଲୋକ ଥିଲେ । ବିଜେଡ଼ି ଗଠନରେ ତାଙ୍କର ପ୍ରମୁଖ ଭୂମିକା ମଧ୍ୟ ଥିଲା । ଅଂଶୁମାନ ଯଦି ବିଜେଡ଼ିରେ ଯୋଗ ଦିଅନ୍ତି, ରାଜନଗରରୁ ରେକର୍ଡ ସଂଖ୍ୟାରେ ବିଜେଡ଼ି ଜିତିବ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।

ଅନ୍ୟପକ୍ଷରେ ଅଂଶୁମାନଙ୍କ ପୁଞ୍ଜି ହେଉଛି ନିର୍ମଳ ଭାବମୂର୍ତୀ ଓ ସଚ୍ଚୋଟତା । ପଂଚାୟତ ହେଉ ଅବା ପୌରାଧ୍ୟକ୍ଷ ନିର୍ବାଚନ ସବୁଠି ଅଂଶୁମାନ ଶାସକ ଦଳ ବିଜେଡ଼ିକୁ ହରଡ଼ ଘଣାରେ ପକାଇଥିଲେ । ଅବଶ୍ୟ ଜିଲ୍ଲା ପରିଷଦ ନିର୍ବାଚନନରେ କଂଗ୍ରେସ ସଫଳତା ପାଇ ନ ଥିଲା ।ଏପଟେ ବିଜେଡ଼ି ନେତା ଅଲେଖ ଜେନା ବିଜେପିରେ ଯୋଗ ଦେବା ପରଠାରୁ ରାଜନଗର ବିଜେଡି ଦୁଇ ଫାଳ ହୋଇ ଗଲା ଭଳି ସ୍ଥିତିରେ । ଯାହାକି ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରିଛି ।

ବିଜେପିରେ ମଧ୍ୟ ଅଲେଖଙ୍କୁ ନେଇ ଦ୍ୱିମତ । ଅଲେଖଙ୍କୁ ବିଜେପି ନେତାମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଫଳରେ ଅଲେଖ ବିଜେପିରେ ଅଣ ନିଶ୍ୱାସୀ ଅନୁଭବ କରୁଛନ୍ତି ।ଯେଉଁ କାରଣରୁ ବିଜେଡ଼ି ଓ ବିଜେପିର ଦଳୀୟ କନ୍ଦଳର ଫାଇଦା ଉଠାଇ ପାରନ୍ତି ଅଂଶୁମାନ । ଯାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ ।

REPORT BY. TAPAS DAS ( BHUBANESWER)