ଗାନ୍ଧିନଗର : ଏନସିଆରବିର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରେ ସର୍ବାଧିକ ୪୦ ହଜାର ମହିଳା ନିଖୋଜ ହେବା ଘଟଣା ଏହି ତଥ୍ୟରେ ପ୍ରକାଶ ପାଇଛି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ବା ଏନସିଆରବି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୬ ରୁ ୨୦୨୦ ଗତ ୫ ବର୍ଷ ମଧ୍ୟରେ କେବଳ ଗୁଜୁରାଟରେ ମୋଟ ୪୧ ହଜାର ୬୨୧ ଜଣ ମହିଳା ନିଖୋଜ ହୋଇଛନ୍ତି । ରାଜ୍ୟରେ ନିଖୋଜ ମହିଳାଙ୍କ ସଂଖ୍ୟା ୨୦୧୬ରେ ୭୧୦୫, ୨୦୧୭ରେ ୭୭୧୨, ୨୦୧୮ରେ ୯୨୪୬, ୨୦୧୯ରେ ୯୨୬୮ ଏବଂ ୨୦୨୦ରେ ୮୨୯୦ରେ ପହଞ୍ଚି ଥିଲା । ଦିନକୁ ଦିନ ରାଜ୍ୟରେ ମହିଳା ନିଖୋଜ ସଂଖ୍ୟା ବଢିବା ଏବଂ ଏହାକୁ ଗୁରୁତର ସହ ବିଚାରକୁ ନ ନେବା ଏକ ଚିନ୍ତାର ବିଷୟ ବୋଲି ରାଜ୍ୟ ମାନବାଧିକାର କମିସନ ସଦସ୍ୟ ସୁଧୀର ସିହ୍ନା କହିଥିଲେ । ଅନେକ ସମୟରେ ନିଖୋଜ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇ ତାଙ୍କୁ ବେଶ୍ୟାବୃତ୍ତି ଭଳି କାର୍ଯ୍ୟ କରିବାପାଇଁ ବାଧ୍ୟ କରାଯାଇଥାଏ ।