ଗ୍ରାଉଣ୍ଡ ଜିରୋରେ ୫ଟି ସଚିବ

କଟକର ବିଭିନ୍ନ ସ୍ଥାନରେ ବୁଲି ବୁଲି ତଦାରଖ କରୁଥିଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ଗ୍ରାଉଣ୍ଡ ଜିରୋରେ ୫ଟି ସଚିବ । ବିଭିନ୍ନ ଉନ୍ନୟନମୂଳକ କାମର ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । କଟକର ବିଭିନ୍ନ ସ୍ଥାନରେ ବୁଲି ବୁଲି ତଦାରଖ କରୁଥିଲେ । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ବସ ଟର୍ମିନାଲର ଅଗ୍ରଗତି ସମ୍ପର୍କରେ କରିଛନ୍ତି ଅନୁଧ୍ୟାନ । ଏଣ୍ଟ୍ରି ଓ ଏଗଜିଟ ପଏଣ୍ଟ ବୁଲି ଦେଖିବା ସହ ଅଫିସ, ଦୋକାନ ଗୃହ ଓ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗୁଣାବତ୍ତାକୁ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।


ବସଷ୍ଟାଣ୍ଡର ୯୦ ପ୍ରତିଶତ ନିର୍ମାଣ ଶେଷ ହୋଇଥିବାବେଳେ ଆଉ ଅଳ୍ପ କିଛି କାମ ବାକି ରହିଛି । ଆସନ୍ତା ମେ ମାସରେ ଏହି କାର୍ୟ୍ୟ ସମ୍ପୂର୍ଣ୍ଣ ହେବ । ୧୫ ଏକର ଜମିରେ ପାଖପାଖି ୬୫ କୋଟି ଟଙ୍କାରେ ବସ ଟର୍ମିନାଲର ନିର୍ମାଣ ଜାରି ରହିଛି । ୨୦୨୧ ଜୁନ ମାସରେ କୋଭିଡ କଟକଣା ଭିତରେ କାମ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ତତ୍ପରତା ପାଇଁ ଦୃତ ଗତିରେ ନିର୍ମାଣ କାମ କରାଯାଇଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟର୍ମିନାଲ ହେବ ରାଜ୍ୟର ପ୍ରଥମ ମଡେଲ ବସ୍ ଟର୍ମିନାଲ । ଗୋଟିଏ ସ୍ଥାନରେ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ ଓ ବିମାନ ବନ୍ଦର ଭଳି ସେବା ମିଳିପାରିବ । ପ୍ରାୟ ୨୦୦ଟି ବସ୍ ଏକା ସାଙ୍ଗରେ ରହିବା ସହ ବସ୍ ଏଣ୍ଟ୍ରି ଓ ଏକଜିଟ ପାଇଁ ଅଲଗା ରାସ୍ତା ରହିଛି । ଡ୍ରାଇଭରଙ୍କ ପାଇଁ ରେଷ୍ଟରୁମ, ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଡର୍ମିଟୋରୀ ରହିଛି । ସୂଚନା କେନ୍ଦ୍ରରେ ଯାତ୍ରୀମାନେ ବସର ସମୟ, ସିଟ୍, କ୍ଷମତା, ଦୂରତାର ସମସ୍ତ ସୂଚନା ପାଇ ପାରିବେ । ସୁରକ୍ଷା ପାଇଁ ସିସିଟିଭି ସହ ପୋଲିସ୍ ଆଉଟ ପୋଷ୍ଟରେ ୨୪ ଘଣ୍ଟିଆ ପ୍ରହରା ରହିବ । ଅତ୍ୟାଧୁନିକ ବସ୍ ଟର୍ମିନାଲରେ ସମୁଦାୟ ୩୩ଟି ରୁମ୍ ରହିଛି । ଗ୍ରାଉଣ୍ଡ ଫ୍ଲୋରରେ ୩୦ଟି ଦୋକାନ ଘର ଥିବା ବେଳେ, ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ସପିଂ ମଲ ପାଇଁ ଅଛି ବଡ଼ ବଡ଼ କର୍ମସିଆଲ ରୁମ ।

ବସ ଟର୍ମିନାଲର ସମୀକ୍ଷା ପରେ କଟକ ଚଣ୍ଡୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଥିଲେ ଫାଇଭ-ଟି ସଚିବ । ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ରୂପାନ୍ତରଣ କାର୍ୟ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀ ଓ ଉନ୍ନତିକରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଫାଇଭ-ଟି ସଚିବ ଆଲୋଚନା କରିଥିଲେ । ନକ୍ସା ଦେଖି ମନ୍ଦିରର ସୌନ୍ଦର୍ୟ୍ୟକରଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ମନ୍ଦିରର ଚାରିପାଖର ଉନ୍ନତିକରଣ ବୁଲି ଦେଖିବା ସହ ଆସନ୍ତା ନଭେମ୍ବର ମାସ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।୭୦ କୋଟି ଟଙ୍କାରେ ମନ୍ଦିରର ଉନ୍ନତିକରଣ କାର୍ୟ୍ୟ ଜାରି ରହିଛି । ମନ୍ଦିର ମଧ୍ୟରେ ଓ ଚାରିପାଖରେ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଛି । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରି ସହିତ ଚାରି ଦିଗରେ ନିର୍ମାଣ କରାଯାଉଛି ଚାରୋଟି ଦ୍ବାର । ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ନିର୍ମାଣ ଚାଲିଛି । ମନ୍ଦିର ପରିସରକୁ ଖୋଣ୍ଡାଲାଇଟ ପଥରରେ ବିଛାଯାଉଛି । ଆଲୋକୀକରଣ ସହ ସରୁକ୍ଷାକୁ ଦୃଷ୍ଟିରେ ରଖି ଉଉଞଠ ଲଗାଯିବା ପ୍ରକ୍ରିଆ ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖ୍ୟାନ କେନ୍ଦ୍ର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏହାସହ ଯାତ୍ରୀ ନିବାସ, ବିସ୍ଥାପିତ ଦୋକାନୀଙ୍କ ପାଇଁ ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ ହେଉଛି । ପାର୍କିଂ ସହିତ ଖୋଲା ସ୍ଥାନର ମଧ୍ୟ ବିକାଶ କରାଯିବ । ଚଣ୍ଡୀ ମନ୍ଦିର ପାଖ ବାଟ ମଙ୍ଗଳା ମନ୍ଦିରର ମଧ୍ୟ ପୁନଃନିର୍ମାଣ କାର୍ୟ୍ୟକରାଯାଉଛି ।