ପଦ୍ମପୁର ଉପନିର୍ବାଚନ : ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ: କୁସୁମ ଟେଟେ

ପଦ୍ମପୁର : ପଦ୍ମପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ହେବେ ବୋଲି ସୁନ୍ଦରଗଡ଼ ବିଧାୟକ ତଥା ବିଜେପି ନେତା କୁସୁମ ଟେଟେ ସୂଚନା ଦେଇଛନ୍ତି। ଏଣେ ୧୪ ତାରିଖରେ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ତେବେ କୌଣସି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବଡ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଶାସକ ବିଜେଡି ଏହି ଆସନରେ ୨୦୧୯ ନିର୍ବାଚନରେ ବାଜିମାତ୍ କରିଥିବା ବେଳେ ପୁଣିଥରେ ଏହି ଆସନ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଉଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟ୍ରେ ପ୍ରକାଶ ପାଇଥିଲା।