ରାଜନଗର; ବିଶ୍ୱ ପ୍ରସିଦ୍ଧ ଭିତରକନିକା ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଭିତରକନିକା।ଗତକିଛି ମାସ ହେବ ଚାଲିଛି କୁମ୍ଭୀରଙ୍କ ପ୍ରଜନନ ଋତୁ ସେ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ଅଗଷ୍ଟ ୧ ତାରିଖରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ନେଇ ପର୍ଯ୍ୟଟକଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବ।ଏଥିସହ ପର୍ଯ୍ୟଟକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ଏହି ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବାରେ ସହଯୋଗର ହାତ ବଢେଇବାକୁ ଅନୁରୋଧ କରାଯାଇଛି । ସେହିପରି କାଗଜ ,ଝୋଟ ତିଆରି ବ୍ୟାଗକୁ ନେବାପାଇଁ କୁହାଯାଇଛି ।