ହିଞ୍ଜିଳିରେ ବୁଷ୍ଟର ଡୋଜ ଟୀକାକରଣ ଅଭିଯାନ ଆରମ୍ଭ

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୁରୁଣା ମେଡିକାଲ କ୍ୟାମ୍ପସରେ ଶୁକ୍ରବାର ଦିନ ବୁଷ୍ଟର ଡୋଜ ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ପୂର୍ବ ଭଳି କ ରୋନାର ପ୍ରକୋପ ଦେଖାଯାଉ ନଥିଲେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। କରୋନାକୁ ମାତ୍ ଦେବା ପାଇଁ ଯଦିଓ କୌଣସି ସ୍ୱତନ୍ତ୍ର ଔଷଧ ପ୍ରସ୍ତୁତ ହୋଇପାରି ନାହିଁ ତଥାପି ଟିକା ଏହାକୁ ମାତ୍ ଦେଇପାରେ ବୋଲି ଆକଳନ କରାଯାଉଛି। କାରଣ ଟୀକା ନେଇଥିବା ବ୍ୟକ୍ତିଙ୍କ ଉପରେ କରୋନା କୌଣସି ପ୍ରଭାବ ପକାଇ ପାରୁନଥିବା ଜଣାପଡିଛି। ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଭାବ ପଡୁନଥିବା ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ତୃତୀୟ ଡୋଜ ଅର୍ଥାତ ବୁଷ୍ଟର ଡୋଜ ମାଗଣାରେ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ହିଂଜିଲିକାଟୁ ପୌରପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ରିବନ କାଟି ଏହାକୁ ଉଦଘାଟନ କରିଛନ୍ତି। ସାମ୍ବାଦିକ କାଂହୁ ଚରଣ ପଣ୍ଡା ସମସ୍ତ ଅତିଥିଙ୍କ ଉପସ୍ଥିତିରେ ପ୍ରଥମ ଟୀକା ନେଇଥିଲେ। ଏହି କାର୍ୟ୍ୟକ୍ରମରେ ଡିପିଏମ ଶ୍ୟାମସୁନ୍ଦର ତ୍ରିପାଠୀ, ହିଂଜିଲି ବିଡ଼ିଓ ସୁବ୍ରତ ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ସୁପେରିଟେଣ୍ଡେନ ପ୍ରତିଭା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।