କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଏବେ ବି ରହସ୍ୟଜନକ ହୋଇଛି ହତ୍ୟାକାଣ୍ଡର କାରଣ । ଏଣୁ ୱେବପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ, ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, କେୟାର ଟେକର୍ ଝୁନା ଭୋଇ, ସହଯୋଗୀ ରାଜ ଓରଫ ରଞ୍ଜନ କୁମାର ନାୟକ, ଭାଗ୍ୟବାନ ଓରଫ ଭାଗ୍ୟଧର ନାୟକ, ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତ, କୃଷ୍ଣଚନ୍ଦ୍ର ନାୟକ ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି ।

ମାନସ ଅଶ୍ଳୀଳ ଭିଡିଓ ନିଜ ପାଖରେ ରଖିବାରୁ ସେହି ରାଗରେ ଫେବ୍ରୁଆରି ୭ରେ ଶର୍ମିଷ୍ଠା ସମେତ ରଞ୍ଜନ, ଭାଗ୍ୟଧର, ଝୁନା, ବିବେକ ଏବଂ ଅନ୍ୟ ଜଣେ ନାବାଳକ ଚାନ୍ଦବାଲିରୁ ତାଙ୍କୁ ଅପହରଣ କରି ଭୁବନେଶ୍ବର ଦୟାଲ ଆଶ୍ରମରେ ହତ୍ୟା କରିଥିଲେ । କ୍ରାଇମବ୍ରାଞ୍ଚ ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଚାନ୍ଦବାଲି ଜେଏମଏଫସିଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ପ୍ରମାଣ ସ୍ବରୂପ ୱେବ୍‌ ପୋର୍ଟାଲର କେୟାର ଟେକର୍ ଝୁନା ଭୋଇ ଘରୁ ମିଳିଥିବା ମାନସଙ୍କ ଏକ କ୍ୟାମେରା ଜବତ କରିଥିବା ଦର୍ଶାଇଛି ।