କ୍ରିକେଟ୍ ମୈଦାନରେ ଭାରତ-ପାକିସ୍ତାନ ମହାମୁକାବିଲାର କ୍ରେଜ୍ କେତେ, ତାହା ଏବେଠାରୁ ଜଣାପଡ଼ିଗଲାଣି। ମ୍ୟାଚ୍କୁ ଆହୁରି ବର୍ଷେ ବାକି ଥିବା ବେଳେ ଟିକେଟ୍ ପାଇଁ ଲାଗିଲାଣି ରେକର୍ଡ ଭିଡ଼। ଟିକେଟ୍ ସଂଖ୍ୟା ମାତ୍ର ୩୪ ହଜାର, କିନ୍ତୁ ଆବେଦନ କରିଛନ୍ତି ପ୍ରାୟ ୮୪ ଲକ୍ଷ କ୍ରିକେଟ୍ ପ୍ରେମୀ। ଏପରିକି ବିଶ୍ୱକପ୍ ଫାଇନାଲ୍କୁ ମଧ୍ୟ ପଛରେ ପକାଇଛି ଭାରତ-ପାକିସ୍ତାନ ମ୍ୟାଚ୍ର ଚାହିଦା।

୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ଏବେଠାରୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ। ବିଶେଷ କରି ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ରହିଛି ଅସମ୍ଭବ କ୍ରେଜ୍। ଅକ୍ଟୋବର ୧୦ ତାରିଖରେ ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗସ୍ଥିତ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍। ଆଉ ଏହି ମ୍ୟାଚ୍ ପାଇଁ ଏପର୍ଯ୍ୟନ୍ତ ୮୩ ଲକ୍ଷ ୯୭ ହଜାର ୨୯୪ଟି ଟିକେଟ୍ ଆବେଦନ ମିଳିଛି।

ସବୁଠାରୁ ରୋଚକ କଥା ହେଉଛି, ଷ୍ଟାଡିୟମର ଦର୍ଶକ କ୍ଷମତା ମାତ୍ର ୩୪ ହଜାର। ଅର୍ଥାତ୍ ଗୋଟିଏ ସିଟ୍ ପାଇଁ ରହିଛନ୍ତି ଶହ ଶହ ଆଶାୟୀ। ଟିକେଟ୍ ଚାହିଦାରେ ଏହି ମ୍ୟାଚ୍ ଟୁର୍ଣ୍ଣାମେଣ୍ଟର ସବୁ ରେକର୍ଡ ଭାଙ୍ଗିଦେଇଛି। ଖାଲି ଭାରତ-ପାକିସ୍ତାନ ମ୍ୟାଚ୍ ନୁହେଁ, ବିଶ୍ୱକପ୍ ଫାଇନାଲ୍କୁ ନେଇ ମଧ୍ୟ ରହିଛି ପ୍ରବଳ ଉତ୍ସାହ। ନଭେମ୍ବର ୨୧ରେ ସେହି ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍। ଏହି ମ୍ୟାଚ୍ ପାଇଁ ମଧ୍ୟ ୭୯ ଲକ୍ଷରୁ ଅଧିକ ଟିକେଟ୍ ଆବେଦନ ଆସିଛି। ତଥାପି ଟିକେଟ୍ ଚାହିଦାରେ ଭାରତ-ପାକିସ୍ତାନ ମ୍ୟାଚ୍ ରହିଛି ଶୀର୍ଷରେ।

ସେପଟେ ସାରା ବିଶ୍ୱରେ ୨୦୨୭ ବିଶ୍ୱକପ୍କୁ ନେଇ ଉତ୍ସାହର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଆଇସିସିର ସୂଚନା ଅନୁସାରେ, ୧୯୩ଟି ଦେଶରୁ ୨୮ ଲକ୍ଷରୁ ଅଧିକ ପ୍ରଶଂସକ ଟିକେଟ୍ ପାଇଁ ଆଗ୍ରହ ଦେଖାଇଛନ୍ତି। ମୋଟ ଟିକେଟ୍ ଆବେଦନ ସଂଖ୍ୟା ୧୨ କୋଟି ଟପିଥିବା ବେଳେ ୩ କୋଟି ୨୦ ଲକ୍ଷରୁ ଅଧିକ ମ୍ୟାଚ୍ ରେଜିଷ୍ଟ୍ରେସନ୍ ହୋଇଛି। ଟିକେଟ୍ ଆବେଦନରେ ଦକ୍ଷିଣ ଆଫ୍ରିକା, ବ୍ରିଟେନ୍, ଭାରତ, ଆମେରିକା ଓ ଅଷ୍ଟ୍ରେଲିଆ ଆଗରେ ରହିଛନ୍ତି। କେବଳ ଆଫ୍ରିକୀୟ ମହାଦେଶରୁ ଆସିଛି ୧ କୋଟି ୪୯ ଲକ୍ଷରୁ ଅଧିକ ଆବେଦନ।

ତେବେ ଏହି ତଥ୍ୟ ହିଁ ପ୍ରମାଣ କରୁଛି, ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମୁକାବିଲା କେବଳ ଏକ କ୍ରିକେଟ୍ ମ୍ୟାଚ୍ ନୁହେଁ, ବରଂ କୋଟି କୋଟି ପ୍ରଶଂସକଙ୍କ ପାଇଁ ଏକ ଭାବନାର ଲଢ଼େଇ। ମୈଦାନରେ ଖେଳାଳିଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବା ପୂର୍ବରୁ ଟିକେଟ୍ ଚାହିଦାରେ ଭାରତ-ପାକିସ୍ତାନ ମ୍ୟାଚ୍ ବାଜି ମାରିନେଇଛି।
