ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ଆସିକା ଥାନା ଭେଙ୍କଟରାଇପଲ୍ଲୀ ଗ୍ରାମରେ ଆଜି କାଳବୈଶାଖୀ ବର୍ଷା ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ଦେବେନ୍ଦ୍ର ମହାନ୍ତି ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ସୁରେନ୍ଦ୍ର ସ୍ୱାଇଁ ଗୁରୁତର ହୋଇ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଭର୍ତି ହୋଇଛନ୍ତି। ଗ୍ରାମର ନଦୀ ତୋଟା ନିକଟସ୍ଥ ପାଟକିଆରି ବିଲରେ କାମ କରୁଥିବା ସମୟରେ କାଳବୈଶାଖୀ ବର୍ଷା ହୋଇ ବଜ୍ରାଘାତ ହୋଇଥିଲା। ଫଳରେ ବିଲରେ କାମକରୁଥିବା ଦେବେନ୍ଦ୍ର ଓ ସୁରେନ୍ଦ୍ର ଉଭୟ ଶିକାର ହୋଇ ବିଲରେ ମଝିରେ ପଡିଯାଇଥିଲେ। ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବାବେଳେ ଡାକ୍ତର ଦେବେନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ଗୁରୁତର ସୁରେନ୍ଦ୍ର ସ୍ୱାଇଁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।