ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଖାଉଟି ସନ୍ତୁଳି ହେଉଛନ୍ତି। ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୨୩ରୁ ୧୧୦ ଡଲାରକୁ ହ୍ରାସ ଘଟିଛି। ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା କରାଯାଇଛି। ବିଶ୍ୱ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟର ମିଡିଏଟ୍ (ଡବ୍ଲ୍ୟୁଟିଆଇ)ର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ଖସିଆସିଛି। ଚାହିଦାରେ ହ୍ରାସ ଯୋଗୁ ବଜାରରେ ତୈଳ ମୂଲ୍ୟ ଖସିବାରେ ଲାଗିଛି। ଅପରପକ୍ଷେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ ଜୁଲାଇ ଏବଂ ଅଗଷ୍ଟରେ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଓପେକ୍ ଦୈନିକ ତୈଳ ଉତ୍ପାଦନ ୬,୪୮,୦୦୦ ବ୍ୟାରେଲକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଏହା ହେଲେ ବଜାରରେ ଆଉ ଚାହିଦା ଯୋଗାଣ ଜନିତ ସ୍ଥିତି ଦେଖିବାକୁ ମିଳିବନାହିଁ। ଫଳରେ ବଜାରରେ ଅଶୋଧିତ ତୈଳ ଦର ଅଧିକ ଖସିବ। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଖସୁଥିବାରୁ ଏଭଳି ସ୍ଥିତିରେ ଘରୋଇ ବଜାରରେ ଖୁବ୍ ଉଚ୍ଚରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ଘଟିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ତୈଳ ଦର ବୃଦ୍ଧି ଫଳରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଘଟୁଥିବା ଜଣାପଡିଛି।