ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରୁ ଚାରିଆଡେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ । ତେବେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଁ ସେ ଭାରତୀୟ ଜନତା ପାର୍ଟିକୁ ଦାୟୀ କରିଛନ୍ତି ।

ତେବେ ଗଣମାଧ୍ୟମ ସଂସ୍ଥାର ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବିଜୟ ଇନ୍ଧନ ମୂଲ୍ୟ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । ସେ ଏହି ନିଷ୍ପତ୍ତିକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଏବଂ ଏହାକୁ ଫେରାଇ ନେବାକୁ ଦାବି କରିଛନ୍ତି।
ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା କାରଣରୁ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇବା ପରେ ତାଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିଛି, ଯେତେବେଳେ କି, ଭାରତ ସରକାର ମଧ୍ୟ ଶୁକ୍ରବାର ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ପ୍ରାୟ ତିନି ଟଙ୍କା ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ।