କାଳ ହେଲା ସମୁଦ୍ରରେ ଗାଧୋଇବା: ଷ୍ଟଣ୍ଟ ଦେଖାଇବା ବେଳେ ପୁଅ ଆଖି ଆଗରେ ଭାସିଗଲେ ବାପା

ପୁରୀ: ସମୁଦ୍ରରେ ଗାଧୋଇବା ହେଲା କାଳ । ପୁଅ ଆଖି ଆଗରେ ଭାସିଗଲେ ବାପା । ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲାର ୩୫ ବର୍ଷିୟ ଯୁବକ ବଂଶୀଧର ବେହେରା। ତେବେ ନିଖୋଜ ବ୍ୟକ୍ତିଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

ସୂଚନା ଅନୁଯାୟୀ, ପରିବାର ସହ ସେ ପୁରୀ ବୁଲିବାକୁ ଆସିଥିବା ବେଳେ ଆଜି ସକାଳେ ବେଳାଭୁମିରେ ବଂଶୀଧର ନିଜ ପୁଅ ସହ ଗାଧୋଉଥିଲେ । ପୁଅ ସହ କିଛି ସମୟ ବାଲିରେ ଖେଳିବା ପରେ ଷ୍ଟଣ୍ଟ ଦେଖାଇବାକୁ ଦୌଡ଼ି ଯାଇ ସୁଅ ମୁହଁକୁ ଡେଇଁ ପଡ଼ିଥିଲେ ବଂଶୀଧର । ହେଲେ ପ୍ରଖର ସୁଅ ତାଙ୍କୁ ସମୁଦ୍ର ଭିତରକୁ ଭିଡ଼ି ନେଇଯାଇଥିଲା । ଏହା ପରଠାରୁ ସେ ନିଖୋଜ ଅଛନ୍ତି । ତେବେ ବଂଶୀଧର ବୁଡ଼ି ଯାଉଥିବା ଦେଖି ନିକଟରେ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡଙ୍କୁ ଖବର ଦେଇଥିଲେ । ଘଟଣାରେ ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବଂଶୀଧରଙ୍କର କୌଣସି ପତ୍ତା ମିଳିପାରି ନାହିଁ ।