୧୫ ବର୍ଷପରେ ଛତିଶଗଡ଼କୁ କବଜା କରି ପାରେ କଂଗ୍ରେସ

(ରିପୋର୍ଟସ ଟୁଡ଼େ): ମୁଖ୍ୟମନ୍ତ୍ରୀ ରମଣ ସିଂହ ପୁନଃର୍ବାର ଛତିଶଗଡରେ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ନିର୍ବାଚନ ଫଳାଫଳ କିନ୍ତୁ କିଛି ଅଲଗା କଥା କହୁଛି । ଏନେଇ ଛତିଶଗଡ ରାଜନୀତି ସରଗରମ । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସକୁ ମିଳିଛି ବହୁମତ । ରିପୋର୍ଟ ଲେଖିବା ସମୟ ପର୍ୟ୍ୟନ୍ତ ଆଗରେ ରହିଛି କଂଗ୍ରେସ । ୯୦ଟି ଆସନ ବିଶିଷ୍ଟ ଏହି ରାଜ୍ୟରେ ଦୁଇଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଗତ ତିନୋଟି ବିଧାନସଭା ନିର୍ବାଚନରେ ଛତିଗଡରେ ବିଜୟ ଟିକା ପିନ୍ଧିଥିଲା ଭାରତୀୟ ଜନତା ପାର୍ଟି । ତିନି ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ରମଣ ସିଂହ ଚଳିତଥର ମଧ୍ୟ ନିର୍ବାଚନ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି । କିନ୍ତୁ ଭୋଟ ଗଣନାରେ ବିଜେପିକୁ ବରାବର ଟକ୍କର ଦେଇ ଟିକିଏ ଆଗରେ ଚାଲିଛି କଂଗ୍ରେସ । ରିପୋର୍ଟ ସୁଦ୍ଧା ବିଜେପି ମାତ୍ର ୨୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୫୪ଟି ଆସନ ଅକ୍ତିଆର କରିସାରିଲାଣି । ତେବେ ଛତିଶଗଡରେ ଚଳିତଥର ବିଜେପିକୁ ମାତ୍ ଦେଇ କଂଗ୍ରେସ ସରକାର ଗଢିବ ବୋଲି ଫଳାଫଳ ରିପୋର୍ଟରୁ ଜଣାପଡୁଛି । ତେବେ ଅପେକ୍ଷା ନିର୍ବାଚନ ଫଳାଫଳ ଶେଷ ରିପୋର୍ଟକୁ ।