ଉଦଳା: ଜାଲ ସାର୍ଟିଫିକେଟରେ ଚାକିରୀ କରିବା ପଡିଲା ମହଙ୍ଗା । ୪ବର୍ଷ ହେବ ସରକାରଙ୍କୁ ଚୂନ ଲଗାଇ ରାଜକୋଷରୁ ଲୁଟି ଚାଲିଥିଲେ ଦୁଇ ଶିକ୍ଷକ। ହେଲେ ଏବେ ସେହି ଦୁଇ ଶିକ୍ଷକଙ୍କୁ ଚାକିରୀରୁ ବିଦା କରାଯାଇଛି ।କପ୍ତିପଦା ବ୍ଲକ ମହୁଲ ପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନଟୋ ପଞ୍ଚାୟତ ହଳଦିଆ ସାହି ବିଦ୍ୟାଳୟର ମାନଶ୍ରୀ ନାଏକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଦୁଇ ଶିକ୍ଷକ ଚାକିରୀ ସମୟରେ ଜାଲ୍ ବିଇଡି ସାର୍ଟିଫିକେଟ ଦେଇ ଚାକିରୀ କରିଥିଲେ।ଯାହାକି ଶିକ୍ଷା ବିଭାଗର ତଦନ୍ତ ପରେ ଦୁଇ ଜାଲିଆ ଶିକ୍ଷକଙ୍କ ସତ ଧରା ପଡିଛି ପରେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଦୁଇ ଶିକ୍ଷକଙ୍କୁ ଚାକିରୀରୁ ଅବ୍ୟାହତ କରିଥିବା ଜଣାଯାଇଛି।ଏହି ଦୁଇ ଶିକ୍ଷକ ୨୦୧୮ ମାର୍ଚ୍ଚ ମାସ ଠାରୁ ଚାକିରୀ କରିଥିବା ବେଳେ ଉଭୟ ଜୁନିଅର ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିଲେ । ହିସାବକୁ ଦେଖିଲେ ଏହି ଦୁଇ ଶିକ୍ଷକ ସରକାରୀ ରାଜକୋଷରୁ ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ କରିଛନ୍ତି।ତେବେ ସବୁଠାରୁ ବଡ କଥା ଏହିକି ଯେ, ନିଜର ଜାଲିଆତି ଜଣା ପଡିବା ପରେ ମନଶ୍ରୀ ନାଏକ ତିନି ମାସ ପୂର୍ବରୁ ଚାକିରୀ ଛାଡି ଚାଲିଯାଇଥିବା ବେଳେ ସୌରଭମୟ ଆଚାର୍ଯ୍ୟ ମାତ୍ର କିଛି ଦିନ ପୂର୍ବରୁ ଚାକିରୀ ଛାଡିଦେଇ ଫେରାର ହୋଇ ଯାଇଛନ୍ତି।