(ରିପୋର୍ଟସ ଟୁଡ଼େ): ବିଭିନ୍ନ ପ୍ରକାରର ହୋଟେଲ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ ମଧ୍ୟ। ତେବେ ଶୁଣି ଆଶ୍ଚର୍ୟ୍ୟ ହେବେ ଜାପାନର ୟୋକୋହାମାଠାରେ ରହିଛି ଏଭଳି ଏକ ହୋଟେଲ ଯାହା କେବଳ ମୃତବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। ହୋଟେଲ ଏକ ବିଳାସପୂର୍ଣ୍ଣ ସ୍ଥାନ ଯେଉଁଠାରେ ଲୋକେ ଖାଦ୍ୟ ପାନୀୟ ଗ୍ରହଣ କରିବା ସହିତ ଆରାମରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ‘ଲାଷ୍ଟେଲ୍’ ନାମକ ଏହି ହୋଟେଲକୁ ନିର୍ମାଣ କରିଛନ୍ତି ହିସାୟୋସି ଟେରାମୁରା ନାମକ ଜଣେ ବ୍ୟକ୍ତି। ଜାପାନରେ ବଢୁଥିବା ମୃତ୍ୟୁହାରକୁ ଧ୍ୟାନରେ ରଖି ଏଭଳି ଏକ ହୋଟେଲ ନିର୍ମାଣ କରିଥିବା କଥା କୁହନ୍ତି ହିସାୟୋସି। ସେ ପୂର୍ବରୁ ଶବଗୃହ କାର୍ୟ୍ୟ ସହିତ ଜଡିତ ଥିଲେ। ତେବେ ଜାପାନରେ ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବଢିଗଲା ଯେ ଲୋକେ ନିଜ ଆତ୍ମୀୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ଲାଗି ଶ୍ମଶାନରେ ସ୍ଥାନ ପାଇଲେ ନାହିଁ। ଏଥିଲାଗି ସେମାନଙ୍କୁ ଦୁଇ ତିନି ଦିନ ଅପେକ୍ଷା କରିବାକୁ ପଡୁଥିଲା। ଏହାକୁ ଦୃଷ୍ଟିରେ ରଖି ହିସାୟୋସି ଏଭଳି ଏକ ହୋଟେଲ ନିର୍ମାଣ କରିବା ଲାଗି ଚିନ୍ତା କଲେ। ଏଠାରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତଦେହକୁ ଦୁଇ ତିନି ଦିନ ଯାଏ ରଖି ଶ୍ମଶାନରେ ସ୍ଥାନ ମିଳିବା ପରେ ଶେଷକୃତ୍ୟ ସମ୍ପନ୍ନ କରିଥାନ୍ତି। ଏଠାରେ ମୃତଦେହ ରଖିବା ଲାଗି ଗୋଟିଏ ଦିନ ପିଛା ୯୦୦୦ ୟେନ୍ ଦେବାକୁ ପଡିଥାଏ। ଏଠାରେ ଶବକୁ ବିଭିନ୍ନ ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଇ ସତେଜ ରଖାଯିବା ବ୍ୟବସ୍ଥା ରହିଛି।