ଶ୍ରୀମନ୍ଦିରରୁ ହଟିଲା କଟକଣା: ଏଣିକି ରବିବାର ବି ଭକ୍ତଙ୍କୁ ଲାଗିବ ଜଗାର ଡୋରି
ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା
ଭୁବନେଶ୍ୱର: ଏଣିକି ରବିବାର ବି ଭକ୍ତଙ୍କୁ ଲାଗିବ ଜଗାର ଡୋରି । ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାରହିବ କାଳିଆ ସାଆନ୍ତଙ୍କ ବଡ଼ ଦେଉଳ । ରବିବାରରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଆସନ୍ତା ୨୦ ତାରିଖରୁ ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ଅନୁମତି ମିଳିବ । ଏନେଇ ଆଜି ଛତିଶ ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଦୋଳପୂର୍ଣ୍ଣମୀ ପରେ ରବିବାରରେ ବି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ଶ୍ରୀମନ୍ଦିର ଦର୍ଶନ ନିମନ୍ତେ ଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଥିଲା । କିନ୍ତୁ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ରବିବାର ଦିନ ଦର୍ଶନ ଉପରେ କଟକଣା ରହିଥିଲା । ଏବେ ହୋଲି ପରେ ଏହି କଟକଣାରୁ ମଧ୍ୟ ମୁକ୍ତି ମିଳିବ । ଆାସନ୍ତା ମାର୍ଚ୍ଚ ୨୦ ତାରିଖ ରବିବାର ଠାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ।

ଦ୍ୱାର ଫିଟା ଠାରୁ ପହଡ଼ ପଡ଼ିବା ପର୍ଯ୍ୟନ୍ତ ଭକ୍ତମାନେ ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ଯାହା ଫଳରେ ରବିବାର ଭଳି ଛୁଟି ଦିନରେ ଜଗା ଦର୍ଶନର ଲାଭ ପାଇ ପାରୁନଥିଲେ ଶ୍ରଦ୍ଧାଳୁ ।