ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ୟ୍ୟ । ଡିସେମ୍ବର ୩୧ ତାରିଖ ଯାଏଁ ଶୀତ ଅଧିବେଶନ ଚାଲିବ । ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ବସିବ । ଅଧିବେଶନରେ ୨୬ଟି କାର୍ୟ୍ୟ ଦିବସ ରହିଛି ।
ଏଥର ବି କରୋନା କଟକଣା ଭିତରେ ଅଧିବେଶନ ହେବ । ଶୀତ ଅଧିବେଶନ ପୂର୍ବରୁ ୩ ଦିନ ଧରି ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ମାନଙ୍କର ରିପୋର୍ଟ୍ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନ ପାଇଁ ପ୍ରବେଶ ଅନୁମତି ମିଳିବ ।
ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ ହଲ୍ଲା କରି ପାରିବେନି । ଶିମିଳାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇ ଥିବା କହିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଏନେଇ ସର୍ବଦଳୀୟ ବୈଠକରେ ସବୁ ଦଳକୁ ଜଣାଇ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ।