ଗାଁ ସ୍କୁଲ ହେବ ସହରର ସ୍କୁଲ ଭଳି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗାଁ ସ୍କୁଲରେ ପଢୁଥିବା ପିଲାମାନଙ୍କ ସ୍ୱପ୍ନ ପୂରଣ ହେବ । ଗାଁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ସାକାର ହେବ । ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ୟ୍ୟକ୍ରମର ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ୟ୍ୟ ଶେଷ ହେବା ସହ ଲୋକାର୍ପଣ ପର୍ବ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେ କହିଲେ, ସ୍କୁଲରେ ଦେଶ ଓ ଜାତିର ଭବିଷ୍ୟତ ତିଆରି ହୁଅନ୍ତି। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ। ମୁଁ ଚାହେଁ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ ।

ପାଠପଢ଼ା ସହ କ୍ରୀଡ଼ା, ସଙ୍ଗୀତ ଆଦି କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ। ନୂତନ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ। ବଡ଼ ସ୍ବପ୍ନ ଦେଖିବା ସହ ଜୀବନର ସବୁ ଆହ୍ବାନକୁ ସାମ୍ନା କରି ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ। ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ପ୍ରଥମ ପର୍ୟ୍ୟାୟରେ ରୂପାନ୍ତର ହୋଇଥିବା ୧୦୨୫ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠୁ ଆରମ୍ଭ ହୋଇଥିବାରୁ ମୁଁ ବହୁତ ଖୁସି। ନଭେମ୍ବର ୨୪ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଜାରି ରହିବ।

ମୁଖ୍ୟମନ୍ତ୍ରୀ କହିଲେ, ସ୍କୁଲ ରୂପାନ୍ତର ୫-ଟି କାର୍ୟ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ଟେକ୍ନୋଲୋଜି ଆମକୁ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରି, କମ୍ପୁଟର ଓ ଆଧୁନିକ ଲାବରେଟୋରିର ସୁବିଧା ଦେଇଛି। ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ। ନଭେମ୍ବର ୧୪ ସୁଦ୍ଧା ରାଜ୍ୟର ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ନିର୍ଧାରିତ ସମୟରେ ଏହା ଶେଷ ହୋଇଛି। ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହିତ ଆଲୋଚନା କରାଯାଇ ସ୍କୁଲଗୁଡ଼ିକରେ ପରିବର୍ତ୍ତନ ହୋଇଛି, ଯାହାକି ସ୍ବଚ୍ଛତାକୁ ଦର୍ଶାଉଛି। ସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମ ସହର ଓ ଗାଁର ସ୍କୁଲ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁ ସ୍କୁଲ ଆଜି ସହରର ଭଲ ଭଲ ଘରୋଇ ସ୍କୁଲର ପରିବେଶ ସୃଷ୍ଟି ହୋଇଛି। ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କର ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫% ସିଟ୍ ସଂରକ୍ଷିତ କରିଛନ୍ତି। ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ସବୁଠାରୁ ବଡ଼ ପରିଚୟ। ଭଲ ପାଠ ପଢି, ଭଲ କାମ କରି, ରାଜ୍ୟର ଗୌରବ ବୃଦ୍ଧି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Image

ଏହି ଅବସରରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜ ମନ କଥା କହିଥିଲେ। ସୁନ୍ଦରଗଡ଼ର ଛାତ୍ରୀ ସିରିନ୍ କୌସର୍, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇ ସ୍କୁଲର ପରିବେଶ ଓ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନରେ ଖୁସିବ୍ୟକ୍ତ କରିଥିଲେ। ଭବିଷ୍ୟତରେ ସେମାନେ କ’ଣ ହେବାକୁ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତରରେ ଉତ୍ସାହିତ ହୋଇ ଆଇଏଏସ୍, ଅଇପିଏସ, ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ହେବେ ବୋଲି ମତପ୍ରକାଶ କରିଥିଲେ।

Image

କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ନବରଙ୍ଗପୁରରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଅଚ୍ୟୁତ ସାମନ୍ତ, କଟକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ଜିଲ୍ଲାର ବିଧାୟକମାନେ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାକୁ ପ୍ରଶଂସା କରିଥିଲେ।

Imageମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ।