ଆସନ୍ତା୨୪ରୁ ରାଜଧାନୀରେ ପୁଣି ହକି ବିଶ୍ୱକପ

ଭୁବନେଶ୍ୱର: ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଙ୍ଗ ( ଏଫ୍ଆଇଏଚ୍) ବିଶ୍ୱକପର କ୍ରୀଡ଼ାସୂଚି ଘୋଷଣା କରିଛି । ୧୬ଟି ଦଳକୁ ୪ଟି ପୁଲରେ ଭାଗ କରାଯାଇଛି । ଆୟୋଜକ ଭାରତ ପୁଲ ବି’ରେ ରହିଛି । ନଭେମ୍ବର ୨୪ ତାରିଖରେ ମୋଟ ୫ଟି ମ୍ୟାଚ ରହିଥିବାବେଳେ ଆୟୋଜକ ତଥା ଡ଼ିଫେଣ୍ଡିଂ ଚାମ୍ପିଅନ ଭାରତ-ପ୍ରାନ୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପୁଲ ରାଉଣ୍ଡରୁ ଫାଇନାଲ ପର୍ଯ୍ୟନ୍ତ ମୋଟ ୪୮ଟି ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ଡ଼ିସେମ୍ବର ୫ ତାରିଖରେ ହେବ । ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଲ ପର୍ଯ୍ୟାୟ, ୩୦ ତାରିଖରେ ୯ରୁ ୧୬ତମ ସ୍ଥାନ ପାଇଁ ମ୍ୟାଚ୍, ଡ଼ିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡ଼ିସେମ୍ବର ୨ ତାରିଖରେ ପୋଜିସନ ମ୍ୟାଚ, ଡ଼ିସେମ୍ବର ୩ ତାରିଖରେ ସେମି ଫାଇନାଲ, ଡ଼ିସେମ୍ବର ୪ ତାରିଖରେ ପୋଜିସନ ଏବଂ ୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।