(ରିପୋର୍ଟସ ଟୁଡ଼େ): ସାବରୀମାଳା ମନ୍ଦିରରେ ନଭେମ୍ବର ୫ରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହେବକୁ ଯାଉଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭଗବାନ ଆୟପ୍ପାଙ୍କ ଦ୍ୱାରା ଖୋଲିବା ପୂର୍ବରୂ ଶନିବାର ମଧ୍ୟରାତ୍ରୀ ଠାରୁ ନଭେମ୍ବର ୬ ପର୍ଯ୍ୟନ୍ତ ଯେଭଳି କୌଶସି ଘଟଣା ନ ଘଟେ ସେଥିପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନିଧାନମ, ପମ୍ବା, ନୀଳକଳ ଏବଂ ଇଲଭୁନକାଲ ଠାରେ ସୁରକ୍ଷା ବ୍ୟବସ୍ଥାକୁ ତୀବ୍ର କରି ଦିଆଯାଇଛି । ଆନ୍ଦୋଳନକାରୀଙ୍କ ଯୋଜନାକୁ ଭଣ୍ଡୁର କରିବା ପାଇଁ ପୋଲିସ ପକ୍ଷରୁ ନଭେମ୍ବର ୪ରୁ ଧାରା ୧୪୪ ଜାରି କରି ଦିଆଯିବ ।
ସୂଚନାଯୋଗ୍ୟ ଯେ, ସାବରୀମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ଗତ ମାସରେ ସୁପ୍ରିକକୋର୍ଟରେ ରାୟ ପ୍ରକାଶ ପାଇବା ପରେ ବି ସେଠାରେ ୧୦ରୁ ୫୦ ବର୍ଷ ବୟସର ମହିଳା ବର୍ଗଙ୍କୁ ପ୍ରବେଶ ଦିଆଯାଉ ନାହିଁ । ଗତ ଅକ୍ଟୋବର ୧୭ରୁ ୨୨ ମଧ୍ୟରେ ମନ୍ଦିରର କବାଟ ଖୋଲା ଯାଇଥିଲା । କିଛି ଭକ୍ତଙ୍କ ଦ୍ୱାରା ମହିଳାମାନଙ୍କ ପ୍ରବେଶକୁ ତୀବ୍ର ବିରୋଧ କରାଯାଇଥିଲା । କିଛି ଯୁବ ମହିଳା ମନ୍ଦିର ଭିତରକୁ ପ୍ରବେଶ କରି ପୂଜାର୍ଚ୍ଚନା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ୫୪୩ ମାମଲା ରୁଜୁ ହୋଇଛି । ଘଟଣା ସହିତ ଜଡିତ ଗୁରୁବାର ପର୍ୟ୍ୟନ୍ତ ୩,୭୦୧ ଜଣ ଲୋକଙ୍କୁ ଗିରଫ କରାଯାଇଛି ।