ହକି ବିଶ୍ୱକପ୍ ପୂର୍ବରୁ କ୍ୟୁ ସେଲ୍ଟରର ଶିଳାନ୍ୟାସ

(ଶୁଭସ୍ମିତା ଦାଶ): ଆଗକୁ ଆସୁଛି ହକି ବିଶ୍ୱକପ୍ । ଏହି ପରିପେକ୍ଷୀରେ ରାଜଧାନୀରେ ଯାତାୟତର ସୁବିଧାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାଲି ଛକ ଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ । ୫ ଟା ୨୫ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଖେଳକୁ ଦୃଷ୍ଟିରେ ରଖି ରାଜଧାନୀ ବାସୀ କିପରି ସୁବିଧାରେ ଯାତାୟତ କରିପାରିବେ ଏନେଇ ସେଥିପାଇଁ ସାଧାରଣ ପରିବହନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯିବ । ଏନେଇ ୨୦୦ଟି ବସ୍ କ୍ୟୁ ସେଲ୍ଟର ନିର୍ମାଣ କରାଯିବ । ଯାହାଦ୍ୱାରା ଯାତ୍ରମାନେ ବିନା ଅସୁବିଧାରେ ବସକୁ ଅପେକ୍ଷା କରିପାରିବେ । ୯୦ ଟି ପୁରୁଣା ସିଟି ବସ୍ ସମେତ ୨୦୦ଟି ନୂଆ ସିଟି ବସ୍ ଚାଲିବ । ନଭେମ୍ବର ପ୍ରଥମ ସପ୍ତାହରେ ନୂଆ ସିଟି ବସ୍ ସେବା ଆରମ୍ଭ ହେବ । କ୍ୟୁ ସେଲ୍ଟର ନିର୍ମାଣ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ କୁ ୨୧.୨୦ କୋଟି ଟଙ୍କା ଦିଆଯାଇଛି । ଜେଏସ୍ଏଲ୍ ଲାଇଫ ଷ୍ଟାଇଲ ଲିମିଟେଡ ସଂସ୍ଥା ଏହି ବସ୍ କ୍ୟୁ- ସେଲ୍ଟର ନିର୍ମାଣ କରିବ । ଦୁଇମାସ ମଧ୍ୟରେ କାମ ସାରିବାକୁ ସଂସ୍ଥାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୦ଟି ବସ ସେଲ୍ଟରପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଏଥିପାଇଁ ୫୦ଟି ସ୍ଥାନରେ ରାସ୍ତା ଖୋଳା କାର୍ଯ୍ୟ ଶେଷ ହୋଇଛି । ଏଥିମଧ୍ୟରୁ ୨୦ଟି ସ୍ଥାନରେ କଂକ୍ରିଟ୍ ଚଟାଣ ତିଆରି କାମ ଶେଷ ହୋଇଛି । ଅତ୍ୟାଧୁନିକ ଞ୍ଚନ କୌଶଳରେ ନିର୍ମାଣ ହେବ ଏହି ସେଲ୍ଟର । ଆରମଦାୟକ ସିଟ୍ ସହ ବସ୍ କେଉଁ ରୁଟରେ ଯିବା ଆସିବା କରିବ ସେ ବିଷୟରେ ସସସ୍ତ ତଥ୍ୟ ଡ଼ିଜିଟାଲ ବୋର୍ଡ଼ରେ ଉପଲବ୍ଧ ହେବ । ତାହା ସହିତ ପିଇବା ପାଣି ଓ ମୋବାଇଲ ଫୋନ ଚାର୍ଜିଂର ବ୍ୟବସ୍ଥା ମଧ୍ୟ ଯାତ୍ରୀ ମାନେ ପାଇବେ । ଯାତ୍ରୀଙ୍କ ଯାତାୟତର ସୁବିଧାକୁ ଦେଖି ଏହି ବ୍ୟବସ୍ଥା କରାଯାଇଛି । ଦୁଇମାସ ମଧ୍ୟରେ କାମ ଶେଷ ହୋଇ ପାରୁଛି ନା ନାହିଁ ଏବଂ ଯାତ୍ରୀ ମାନେ ଠିକ୍ ଭାବେ ସୁବିଧା ପାଇପାରିବେ ତ ଏହା କେବଳ ଦେଖିକାବୁ ବାକି ରହିଲା ।