ଉଦଳା(ଦୀପକ ମିଶ୍ର): ବିଲରେ କାର୍ଯ୍ୟ କରୁଥିବା ସମୟରେ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଅଧିନ ଧପଡା ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଧପଡା ଗ୍ରାମର ମହାନ୍ତି ବାରଚ ହଳ କରୁଥିବା ବେଳେ ନିକଟରେ ସୁଗୁନା କାଲୁଣ୍ଡିଆ ନାମକ ଜଣେ ବ୍ୟକ୍ତି ବୁଲୁଥିଲେ । ହଠାତ୍ ଏହି ସମୟରେ ଏକ ଭାଲୁ ଆସି ଉଭୟଙ୍କୁ ଆକ୍ରମଣ କରିଥିଲା । ଭାଲୁଟି ପ୍ରଥମେ ସୁଗୁନାଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କର ହାତ ଏବଂ ପେଟକୁ କାମୁଡି ଦେଇଥିଲା । ସେହିପରି ବାରଚଙ୍କ ହାତକୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା । ଉଭୟ ଗୁରୁତର ହୋଇ ପଡିଥିବା ବେଳେ ଭାଲୁଟି ସେଠାରୁ ଚାଲିଯିବା ସହିତ ରାସ୍ତାରେ ଯାଉଥିବା କାଇରା ସିଂଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏଥିସହିତ ସେଠାରୁୁ ଯାଇ ଗ୍ରାମରେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭାଲୁଟି ଆକ୍ରମଣ କରିଥିଲା ।
ଏହି ଆକ୍ରମଣରେ ଗ୍ରାମର ୫ ଜଣ ବ୍ୟକ୍ତି ଗୁରୁତର ହୋଇ ରକ୍ତାକ୍ତ ହୋଇଥିବା ଜଣାଯାଇଛି। ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୫ ଜଣ ଗୁରୁତରଙ୍କ ମଧ୍ୟରୁ ସୁଗୁନାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଗ୍ରାମରେ ଭାପୁର ଏପରି ଆକ୍ରମଣକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।