(ପାଣିକୋଇଲି ) : କଳାପଥର ଲୁଟୁଥିବା ଡଙ୍କାରୀ ଲୁଟେରାଙ୍କ ଷଡ଼ଯନ୍ତ୍ରରେ ଧର୍ମଶାଳାରେ ବୋମା ମାଡ଼ ଘଟିଥିବା ସ୍ପଷ୍ଟ ହୋଇଛି। ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଜୀବନରୁ ମାରିଦେବା ଯୋଜନାରେ ସାମିଲ ଥିବା ୩ଜଣଙ୍କୁ ଧର୍ମଶାଳା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଥାନା ପର୍ଶୁରାମପୁର ଗାଁର କୃଷ୍ଣଚନ୍ଦ୍ର ବେହେରାଙ୍କ ପୁଅ ଶିବାନୀ , ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଆଁରପୁର ଗାଁର ଗଣେଶ୍ୱର ନାୟକଙ୍କ ପୁଅ ଶମ୍ଭୁ ଏବଂ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ହୃଦାନନ୍ଦ ଦାସଙ୍କ ପୁଅ ଅନିଲ ଓରଫ୍ କାଳିଆ । ଘଟଣାରେ ବ୍ୟବହୃତ ବାଇକ ସହ ଅଭିଯୁକ୍ତଙ୍କ ମୋବାଇଲକୁ ପୁଲିସ ଜବତ୍ କରିଛି । କିନ୍ତୁ ଏବେବି ୨ଜଣ ଫେରାର ଅଛନ୍ତି । ଅଭିଯୁକ୍ତଙ୍କୁ କୋଟ ଚାଲାଣ କରିଛି ପୋଲିସ ।
ସୂଚନାନୁଯାୟୀ , ଡଙ୍କାରୀ ପାହାଡ଼ରୁ ରବି ଦାସ ନାମକ ବ୍ୟକ୍ତି କଳାପଥର ଲୁଟୁଥିଲେ । ଲୁଟ୍କୁ ନେଇ ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କ ଅଭିଯୋଗକ୍ରମେ ପ୍ରଶାସନ ପକ୍ଷରୁ ଜେନାପୁର ଥାନାରେ ୨୦୨୧ ଜାନୁଆରୀ ୧୧ରେ ଏତଲା ଦିଆଯାଇଥିଲା । ଫଳରେ ରବି କ୍ଷୁବ୍ଧ ହୋଇ ସର୍ବେଶ୍ୱରଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା ।