New Delhi: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ୍ କୁମାରଙ୍କୁ ପଦରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ବଡ଼ ପଦକ୍ଷେପ ନେଇଛନ୍ତି। ବିରୋଧୀ ମେଣ୍ଟ INDIA Alliance ର ୧୯୩ ଜଣ ସାଂସଦ ତାଙ୍କୁ ହଟାଇବା ପାଇଁ ଏକ ନୋଟିସ୍ରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ୍ ଶୁକ୍ରବାର ସଂସଦର ଉଭୟ ଗୃହରେ ଉପସ୍ଥାପିତ ହୋଇପାରେ। ସୂଚନା ଅନୁସାରେ, ଏହି ୧୯୩ ଜଣ ସାଂସଦଙ୍କ ମଧ୍ୟରୁ ୧୩୦ ଜଣ ଲୋକସଭାର ଏବଂ ୬୩ ଜଣ ରାଜ୍ୟସଭାର ସଦସ୍ୟ। ତଥାପି ଏହି ନୋଟିସ୍ ପ୍ରଥମେ କେଉଁ ଗୃହରେ ଉପସ୍ଥାପିତ ହେବ, ସେଥିପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ।
ବିରୋଧୀ ଦଳର ଜଣେ ସାଂସଦ କହିଛନ୍ତି ଯେ ନୋଟିସ୍ରେ ସ୍ୱାକ୍ଷର କରିବା ପାଇଁ ସାଂସଦମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ଆବଶ୍ୟକ ସଂଖ୍ୟା ପୂରଣ ହୋଇଯାଇଥିବା ପରେ ମଧ୍ୟ ଅନେକ ସାଂସଦ ଆଗକୁ ଆସି ସ୍ୱାକ୍ଷର କରିଥିଲେ। ଏହି ପ୍ରସ୍ତାବକୁ ତୃଣମୁଳ କଂଗ୍ରେସ ସହିତ ସମାଜବାଦୀ ପାର୍ଟି ଓ ଆମ୍ ଆସମୀ ପାର୍ଟି ମଧ୍ୟ ସମର୍ଥନ କରିଛନ୍ତି। ଟିଏମସି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୁଦ୍ଧରେ ଖରାପ ଆଚରଣର ଅଭିଯୋଗ ଆଣାଯାଇଛି। ସଂସଦୀୟ ନିୟମ ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଲୋକସଭାରେ କମରେ ୧୦୦ ଜଣ ସାଂସଦ ଏବଂ ରାଜ୍ୟସଭାରେ କମରେ ୫୦ ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ। ବିରୋଧୀ ଦଳମାନେ ଦାବି କରିଛନ୍ତି ଯେ ଏହି ଆବଶ୍ୟକ ସଂଖ୍ୟା ପୂରଣ ହୋଇଯାଇଛି।
ରିପୋର୍ଟ ଅନୁସାରେ, ନୋଟିସ୍ରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୁଦ୍ଧରେ ସାତଟି ଅଭିଯୋଗ ଆଣାଯାଇଛି। ଏଥିରେ ପଦରେ ଥିବା ସମୟରେ ପକ୍ଷପାତପୂର୍ଣ୍ଣ ଆଚରଣ, ନିର୍ବାଚନ ଅନିୟମିତତାର ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ଅନେକ ଭୋଟରଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରିବା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ। ଏହା ସହିତ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଭୋଟର ତାଲିକା ସଂଶୋଧନ ସମୟରେ ଅନେକ ପ୍ରକୃତ ଭୋଟରଙ୍କ ନାମ କାଟାଯାଉଛି, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଚିନ୍ତାର ବିଷୟ।