ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିବା ସହିତ ଭାରତୀୟ ହକି ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପ୍ରଥମ ଥର ପାଇଁ ଗୋଟିଏ ଏସିଆନ ଗେମ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ଉଭୟ ଦଳ ୨୦୨୮ ଲସ୍ ଆଞ୍ଜେଲସ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଫାଇନାଲରେ ମ୍ୟାଚ୍ରେ ଗୋଲ୍ ଦେଇଥିଲେ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା। ସେ ଖେଳର ୫୪ତମ ମିନିଟରେ ଏକ ଫିଲ୍ଡଗୋଲ୍ ଦେଇଥିଲେ। ଅଧିନାୟକ ହରମନପ୍ରୀତ ଦୁଇଟି ଗୋଲ୍ କରିଥିଲେ। ଯୁଗରାଜ ଓ ହାର୍ଦ୍ଦିକ ସିଂ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ମାଲେସିଆ ପକ୍ଷରୁ ସିଲଭେରିୟସ ଶେଲୋଙ୍କ ଏକମାତ୍ର ଗୋଲ୍ କରିଛନ୍ତି। ହାପ୍ ଟାଇମ୍ ବେଳକୁ ଭାରତ ୨-୧ରେ ଆଗୁଆ ଥିବା ବେଳେ ଦ୍ୱିତୀୟ ହାପ୍ରେ ଆହୁରି ୩ଟି ଗୋଲ୍ ଦେବାରେ ସମର୍ଥ ହୋଇଥିଲା। ଅନ୍ୟପକ୍ଷରେ ଭାରତ ଆଗରେ ଫିକା ପଡ଼ି ଯାଇଥିଲା ମାଲେସିଆ। ପୁରୁଷ ହକି ଟିମ୍ ପୂର୍ବରୁ ଏସିଆନ ଗେମ୍ସରେ ୪ ଥର ସ୍ୱର୍ଣ୍ଣ ପଦକ ଜିତିଥିଲା। ଏଥରକୁ ମିଶାଇ ଦଳ ୫ଟି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ୧୯୬୬, ୧୯୯୮, ୨୦୧୪ ଓ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ତା’ସହିତ ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଦଳ ଲଗାତାର ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଦଳ ପାଇଁ ଏହା ବି ଏକ ରେକର୍ଡ।