ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ : ୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ମୁମ୍ବାଇ ବର୍ଷା

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଅଳ ମୌସୁମୀ ସହ ଲଗାଣ ବର୍ଷା କାରଣରୁ ଜନଜୀବନ ପ୍ରଭାବିତ ହୋଇଛ । ଚଳିତ ମାସରେ ମୁମ୍ବାଇରେ ଯେଉଁଭଳି ବର୍ଷା ହୋଇଛି ତାହା ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି । ସୋମବାର ସହରର ଅନେକ ଅଞ୍ଚଳ ଜଳମୟ ହୋଇଛି । ଫଳରେ ଦୈନନ୍ଦିନ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଛି । ଆଇ.ଏମ୍.ଡି ସୂଚନା ମୁତାବକ, ମୁମ୍ବାଇରେ ଦକ୍ଷିଣ-ପଶ୍ଚିମ ପହଞ୍ଚିଛି । ଗତ ୬୯ ବର୍ଷ ମଧ୍ୟରେ ମୁମ୍ବାଇରେ ମୌସୁମୀର ଆଗମନ ସବୁଠାରୁ ଶୀଘ୍ର ହୋଇଥିବା ଆଇଏମ୍‌ଡି କହିଛି । ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅନୁଯାୟୀ, ସାଧାରଣତଃ ମୁମ୍ବାଇରେ ଜୁନ୍‌ ୧୧ରେ ମୌସୁମୀ ପହଞ୍ଚିଥାଏ। ତେବେ ଚଳିତ ଥର ୧୬ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ପୂର୍ବରୁ ୧୯୫୬, ୧୯୬୨ ଏବଂ ୧୯୭୧ରେ ମେ’ ୨୯ରେ ମୌସୁମୀ ମୁମ୍ବାଇ ଛୁଇଁଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ଆକଳନ କରି ଆଇଏମ୍‌ଡି ପକ୍ଷରୁ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଜିଲା ଠାଣେ, ରାୟଗଡ଼ ଏବଂ ରତ୍ନଗିରି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି।
ବର୍ଷା ଯୋଗୁ ସହରର ପରିବହନ ଏବଂ ବିମାନ ଚଳାଚଳ ସେବା ବାଧାପ୍ରାପ୍ତ ହୋଇଛି। ମୁମ୍ବାଇରେ ୨୫୦ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସ୍‌ଜେଟ ଏବଂ ଏୟାରଇଣ୍ଡିଆ ଏୟାରଲାଇନ୍ସ ପକ୍ଷରୁ ନିଜ ପାସେଞ୍ଜରଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ମୁମ୍ବାଇକୁ ଯାଉଥିବା କିମ୍ବା ମୁମ୍ବାଇରୁ ଆସୁଥିବା ଯାତ୍ରୀମାନେ ନିଜ ନିଜ ଫ୍ଲାଇଟ ଷ୍ଟାଟସ୍‌ ଉପରେ ନଜର ରଖିବାକୁ ଏୟାରଲାଇନ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ସହରର ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି।