ପୁସ୍ତକ ପୋଡ଼ିବାକୁ ନେଇ ନେପାଳରେ ବିବାଦ

ନେପାଳ :- ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପୁସ୍ତକ ପୋଡ଼ିବାକୁ ନେଇ, ନେପାଳରେ ବିବାଦ ସୃଷ୍ଟି କରିଛି। ସୂଚନା ଅନୁଶାରେ, ଗତ ଶନିବାର ରାତିରେ ମୋରାଙ୍ଗ ଜିଲ୍ଲାର ମନମୋହନ ଟେକ୍ନିକାଲ୍ କଲେଜରେ ଶହ ଶହ ପୁସ୍ତକ ପୋଡ଼ି ଦିଆଯାଇଛି। ଆଉ ସେଥି ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ଲିଖିତ ପୁସ୍ତକ “ଦି ଗଭର୍ନାନ୍ସ ଅଫ୍ ଚାଇନା”ର ଅନେକ କପି ମଧ୍ୟ ଥିଲା।

ତେବେ ଏହି ଘଟଣାରେ ଚୀନ୍ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। କାଠମାଣ୍ଡୁରେ ଥିବା ଚୀନ୍ ଦୂତାବାସ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏକ ସରକାରୀ ନୋଟ୍ ପଠାଇ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଭିଡିଓଟି ଭାଇରାଲ ହେବା ପରେ, ମୋରାଙ୍ଗର ମୁଖ୍ୟ ଜିଲ୍ଲା ଅଧିକାରୀ ଯୁବରାଜ କାଟେଲ ଗଣମାଧ୍ୟମକୁ ଭିଡିଓଟିକୁ ହଟାଇବାକୁ ଅନୁରୋଧ କରିଥିଲେ । କାରଣ ଏହା ନେପାଳ-ଚୀନ୍ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି । ନେପାଳର ଗୃହମନ୍ତ୍ରୀ କହିଛନ୍ତି ଯେ, ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।