ପାର୍ଲାମେଣ୍ଟରେ ମହିଳାଙ୍କ ୩୩ ପ୍ରତିଶତ ସ୍ଥାନସଂରକ୍ଷଶକୁ ନେଇ ରାଜନୌତିକ ଚର୍ଚ୍ଚା

(ରିପୋର୍ଟସ ଟୁୁଡ଼େ): ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ହେଉ। ଏ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ନିକଟରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଏହାପରେ ପ୍ରସ୍ତାବକୁ ଖୁବ୍‌ଶୀଘ୍ର ଆଇନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନଙ୍କ ଚିଠି ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଠିକ୍‌ ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟଗୁଡିକୁ ମହିଳା ସଂରକ୍ଷଣ ଆଇନ ବିଧାନସଭାରେ ଗୃହୀତ କରିବା ପାଇଁ ଚିଠି ଲେଖିଛନ୍ତି। ନବୀନଙ୍କ ପରେ ରାହୁଲଙ୍କ ଏହି ପଦକ୍ଷେପ ଯୋଗୁ ଉଭୟଙ୍କୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ କରିଛି। ବିଜେଡି କିନ୍ତୁ ଚିଠି ଲେଖାରେ ସୀମିତ ନ ରଖି ଗୋଟିଏ ପାଦ ଆଗକୁ ଯାଇଛି। ଦଳ ପକ୍ଷରୁ ୭ ଜାତୀୟ ଏବଂ ୧୫ ଆଞ୍ଚଳିକ ଦଳ ସହ ଭେଟିବାକୁ ନିଷ୍ପତ୍ତି ହୋଇଛି। ଦଳୀୟ ନେତାମାନଙ୍କ ମଧ୍ୟରେ ଏନେଇ ଦାୟିତ୍ୱ ବାଣ୍ଟି ଦିଆଯାଇଛି। ମାତ୍ର ରାଜ୍ୟର ଏକ ଦାୟିତ୍ୱସମ୍ପନ୍ନ ଦଳ ଭାବେ ବିଜେଡି ୨୦୧୯ ନିର୍ବାଚନରେ ଏହି ପ୍ରସ୍ତାବକୁ ନିଜେ ପାଳନ କରିପାରିବ ନା ନାହିଁ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି। ଏହି ବିଲ୍‌ ଲୋକ ସଭାରେ ଗୃହୀତ ନ ହେଲେ ମଧ୍ୟ ସାଧାରଣ ନିର୍ବାଚନରେ ବିଧାନସଭା ଓ ଲୋକ ସଭା ଆସନରେ ବିଜେଡି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ଜରୁରୀ ହୋଇପଡିଛି ବୋଲି ଚର୍ଚ୍ଚା ହେଉଛି। ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଶାସକ ବିଜେଡି ଆଣିଥିବା ପ୍ରସ୍ତାବ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ବିରୋଧୀ ଅଭିଯୋଗ କରୁଛନ୍ତି ।