(ବ୍ୟୁରୋ) : ଓଡିଆ ପୁଅ ଚଣ୍ଡିପ୍ରସାଦଙ୍କୁ ପି ଭି ଏସ ଏମ । ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍୍ରପତି ରାମନାଥ କୋବିନ୍ଦ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ ସହ ସମ୍ମାନିତ କରିଛନ୍ତି । ତାଙ୍କର ଉଲ୍ଲେଖନିୟ ସେବା ପ୍ରଦାନ କ୍ଷେତ୍ରରେ ଏହି ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଚଣଡି ପ୍ରସାଦ ଏବେ ଭାରତୀୟ ସ୍ଥଳ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଭାବେ ଦ୍ୱାୟିତ୍ୱ ନେଇଛନ୍ତି ।
ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରି କଲେଜ୍, ଡେରାଡୁନ୍, ନ୍ୟାସନାଲ୍ ଡିଫେନ୍ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍ ମିଲିଟାରି ଏକାଡେମି, ଡେରାଡୁନରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତି କରାଯାଇଥିଲା। ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ୟ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍ ଭାବେ ଅତ୍ୟନ୍ତ ଦାୟିତ୍ୱ ସମ୍ପର୍ଣ୍ଣ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ୟ୍ୟ କରି ଆସିଥିଲେ।
ଜମ୍ମୁ-କଶ୍ମୀରରେ ଏବଂ ପରେ ଉତ୍ତର ପୂର୍ବରେ ନିୟନ୍ତ୍ରଣ ରେଖାରେ ନିୟୋଜିତ ବାଟାଲିୟନର ବ୍ରିଗେଡ୍ କମାଣ୍ଡର ଭାବେ ତାଙ୍କର କାର୍ୟ୍ୟ ଉଲ୍ଲେଖନୀୟ ରହିବା ସହ ଅନ୍ୟମାନଙ୍କ ପାଇଁ ଉହାହାରଣ ପାଲଟିଛି। ଚୀନ୍ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ପରେ ସିକ୍କିମ୍ ଆଧାରିତ ତ୍ରିଶକ୍ତି କର୍ପସକୁ ନିର୍ଦ୍ଦେଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଚଣ୍ଡିପ୍ରସାଦ ମହାନ୍ତି। ଯୋଧପୁର ସବ୍ ଏରିଆର ଜଣେ ମେଜର ଜେନେରାଲ୍ ଭାବରେ ଏବଂ ଲେଫଟନାଣ୍ଟ ଜେନେରାଲ୍ ଭାବରେ ଉତ୍ତର ଭାରତର ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଥିଲା।