(ରିପୋଟରର୍ସ ଟୁଡ଼େ): ରାଜଧାନୀ ଶିକ୍ଷା ହବ୍ ପାଲଟିଥିବା ବେଳେ ନାମୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପାଇଁ ବହୁ ଧନୀକ ଶ୍ରେଣୀର ପିଲାମାନଙ୍କ ସମାଗମ ହୋଇଛି। ଜାତୀୟ ଅନ୍ତର୍ଜାତୀୟ ସ୍ତରର ବଡ଼ କମ୍ପାନିର ଶାଖା ମଧ୍ୟ ଖୋଲିଛି। ତେଣୁ ଛାତ୍ରଛାତ୍ରୀଙ୍କ ସମେତ ଏହି କମ୍ପାନିର କର୍ମଜୀବୀମାନେ ମଧ୍ୟ ସଂଜ ନଇଁଲେ ପବ୍କୁ ଯିବାକୁ ପସନ୍ଦ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କଟକ ରୋଡ୍, ଜନପଥ, ଜୟଦେବ ବିହାର, ପଟିଆରେ ପ୍ରାୟ ୩୦ରୁ ଅଧିକ ଡ୍ୟାନ୍ସବାର୍, ପବ୍ ଓ ଡିସ୍କୋ ବାର୍ ଖୋଲିଛି। ରଙ୍ଗିନ ଆଲୁଅରେ ଲୁଚକାଳି ଖେଳେ ମତୁଆଲା ମନ। ଡିଜେର ଧୁମ ଧଡ଼ାକା ଗୀତେର ଝୁମିଉଠେ ପୂରା ଶରୀର। ରଙ୍ଗିନ ମିଜାଜ୍ରେ ଉବୁଟୁବୁ ହୁଅନ୍ତି ଯୁବାରୁ ବୟସ୍କ ଯାଏଁ। ସଂଜ ନଇଁଲେ ଟେନ୍ସନିଆ ମଣିଷମାନଙ୍କୁ ହାତଠାରି ଡାକିନେଇ ଏମିତି ପରଶ ଲଗାଏ ‘ପବ୍’, ଡିସ୍କୋ ଓ ‘ଡ୍ୟାନ୍ସ ପାର୍ଟି’। ସାଥୀଙ୍କ ହାତରେ ହାତ ଛନ୍ଦି ସେମାନେ ଖୁବ୍ ନାଚନ୍ତି। କେଇ ଘଣ୍ଟାର ସେଇ ସମୟକୁ ନିଜ ଇଚ୍ଛାରେ, ନିଜ ଢଙ୍ଗରେ ବିତାନ୍ତି। ନା ବସ୍ଙ୍କ ତାଗିଦ୍ର ଭୟ ଥାଏ ନା କାମର ବୋଝ। ରାଜଧାନୀର ବ୍ୟସ୍ତବହୁଳ ମଣିଷଙ୍କୁ ଚିରାଚରିତ ଜୀବନଧାରାରୁ କେଇକ୍ଷଣ ବିରାମ ଦେବା ଉଦ୍ଦେଶ୍ୟରେ ସହରରେ ଗଢ଼ି ଉଠିଛି ଏହିପରି ପବ୍। ତାରକା ହୋଟେଲ୍ ମେ-ଫେୟାର, ସ୍ବସ୍ତି ପ୍ଲାଜା, ଏଚ୍ଏଚ୍ଆଇ, ଦୀପାଲି, ସୋଲାନ ଇନ୍, ରେନ୍ ଦ ବାର୍, ଗ୍ରିନ୍ ଫିଲ୍ଡ, ଅଶୋକା, ମ୍ୟାଡ୍ ମୁଲ୍ ଭଳି ଅନେକ ସ୍ଥାନରେ ପବ୍ ଓ ଡ୍ୟାନ୍ସ ପାର୍ଟିର ମଜା ମିଳୁଛି। ମୃଦୁ ପାନୀୟ ସହ କିଛି ସ୍ଥାନରେ ହୁକାର ବ୍ୟବସ୍ଥା ରହିଛି।