ନଦୀକୁ ଖସିଲା କାର ଦୁଇ ଜଣ ମୃତ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଗତକାଲି ବିଳମ୍ବିତ ରାତିରେଏକ କାର୍‌ ଖସି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ବୋଲି ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ସମସ୍ତେ କୌଣସି କାମରେ ପାରଳାଖେମୁଣ୍ଡି ଯାଇଥିଲେ। ହେଲେ ସେମାନେ ରାତିରେ ପାରଳାଖେମୁଣ୍ଡିରୁ କାକିନାଡ଼ା ଯାଉଥିବା ବେଳେ ଅନ୍ଧାର ଯୋଗୁ ରାସ୍ତା ପାଇ ନଥିଲେ। ପାରଳାଖେମୁଣ୍ଡି ଏବଂ ଶ୍ରୀକାକୁଲମ୍‌ ମଝିରେ ଥିବା ଗୋଟା ବ୍ୟାରେଜକୁ ତାଙ୍କ କାର୍ ଖସି ପଡ଼ିଥିଲା।
ଆଗ ସିଟ୍‌ରେ ବସିଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛ ସିଟ୍‌ରେ ବସିଥିବା ତିନି ଜଣ କୌଶଳ କ୍ରମେ କାର୍‌ରୁ ବାହାରି ପହିଁରି ପହିଁରି ପଳାଇ ଆସିଥିଲେ। ଖବର ପାଇ ହିରମଣ୍ଡଳ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ମୃତଦେହକୁ ଉଦ୍ଧାର କରିଛନ୍ତି। ଏଥିସହ ଆହତମାନଙ୍କୁ ଶ୍ରୀକାକୁଲମ୍‌ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।