ଗୋଲାପ ସାହୁ/କଳାହାଣ୍ଡି: ଶିଶୁ ମୃତ୍ୟୁକୁ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । ଶିଶୁ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ସ୍ୱତନ୍ତ୍ର ୱାର୍ଡ ସହ ଉନ୍ନତମାନର ଉପକରଣ ଯୋଗା ଯାଇଛି । ଚିକିତ୍ସା ବ୍ୟବସ୍ଥାକୁ ସୁଲଭ କରିବାକୁ ତଥା ସ୍ୱଚ୍ଛତା ଆଣିବାକୁ ହସ୍ପିଟାଲକୁ ମୋ ସରକାରରେ ସାମିଲ କରାଯାଇଛି । ହେଲେ ଏସବୁର ତଦାରଖ ପାଇଁ କେହି ନାହାନ୍ତି । ତେଣୁ ଡାକ୍ତର ଚଳାଇଛନ୍ତି ମନମାନୀ । ଏଥିନେଇ ଚାଲିଯାଉଛି ନୀରିହ ଶିଶୁଙ୍କ ଜୀବନ । ଏଭଳି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ବିରୋଧରେ । ଜୟପାଟଣା ଥାନା ଅଧୀନ ଧନସୁଲି ଛତାବାନ୍ଧୁଗୁଡା ଲଙ୍କେଶ୍ୱର ନାଏକଙ୍କ ଝିଅ ପ୍ରଜ୍ଞାଶିନୀର ଝାଡା ଜ୍ୱର ହେବାରୁ ଗତକାଲି ତାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ନିହାର ରଞ୍ଜନ ପରିଡା ଶିଶୁର ସମସ୍ୟା ବୁଝି ଖାଲି କିଛି ଔଷଧ ଦେଇ ଶୋଇବାକୁ ଚାଲିଗଲେ । ଶିଶୁର ଯନ୍ତ୍ରଣା ଦେଖି ବାରମ୍ବାର ଡାକ୍ତରଙ୍କୁ ଡକାଗଲେ ମଧ୍ୟ ସେ ଶୁଣି ନ ଥିଲେ । ଶେଷରେ ଶିଶୁର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ କାନ୍ଦ ଶୁଣି ତରବରିଆ ଭାବେ ଡାକ୍ତର ମୃତ ଶିଶୁକୁ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିବା ଅଭିଯୋଗ କରନ୍ତି ପରିବାର ଲୋକେ ।
ଏହାକୁ ନେଇ ପରିବାର ପକ୍ଷରୁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୟପାଟଣା ପୋଲିସ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ମୃତକ ପରିବାର ସହ ଆଲୋଚନା କରି ପରିସ୍ଥିତି ଉପରେ ନିୟନ୍ତ୍ରଣ କରିଛି।ଚିକିତ୍ସା ରେ ଅବହେଳା କରି ନିରୀହ ଶିଶୁର ଜୀବନ ନେଇଥିବା ଡାକ୍ତର ପ୍ରତି ପ୍ରଶାସନ କଣ କାର୍ୟ୍ୟାନୁଷ୍ଠାନ ନେବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।