ଯୁବକଙ୍କୁ ମାଡ ମରା ଘଟଣା : ଜଣେ ଗିରଫ, ୩ ନାବାଳକ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର

ଭୁବନେଶ୍ବର : ବିଜେବି କଲେଜ ରାଗିଂ ଘଟଣାକୁ ନେଇ ବଢୁଛି ବିବାଦ । ଯୁବକଙ୍କୁ ସିନିୟର ମାଡ ମାରୁଥିବା ଘଟଣାକୁ କମିସନରେଟ୍ ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଗୁରୁତ୍ବର ସହ ନେଇଛନ୍ତି। ଘଟଣାର ୨୪ ଘଣ୍ଟା ମଧ୍ୟରେ ବଡ଼ଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଅନ୍ୟ ୩ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। ଗିରଫ ଛାତ୍ରଜଣଙ୍କ ହେଲେ, ଚିନ୍ମୟ ବେହେରା । ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ ମଧ୍ୟ କାର୍ୟ୍ୟାନୁଷ୍ଠାନ ସ୍ବରୂପ ଏହି ୪ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରିଛନ୍ତି। ଏବଂ କଲେଜ ପକ୍ଷରୁ ବିଧିବଦ୍ଧଭାବେ ନୋଟିସ ମଧ୍ୟ ଜାରି କରାଯାଇଛି । ସୂଚନା ନଅୂଯାୟୀ ଜଣେ ବାନ୍ଧବିଙ୍କ ସହ ଜଣେ ଯୁବକ କଲେଜ ଆସୁଥିବାରୁ ୪ଜଣ ସିନିୟର ଯୁବକ ବିରୋଧ କରିଥିଲେ । ଏବଂ ସେ ଛାତ୍ରୀଙ୍କ ସହ ମିଳାମିସା ବନ୍ଦ କରିବାକୁ କହିଥିଲେ । ହେଲେ ଛାତ୍ର ଜଣକ ନମାନିବାରୁ ତାଙ୍କୁ ଧମକ ଦେଇଥିଲେ । ହେଲେ ଏହି ଘଟଣାକୁ ନେଇ ଯୁବକଙ୍କୁ ଏକ ଗଛ ତଳେ ବସାଇ ମାଡ ମାରିବା ସହ, ଅଶ୍ଳିଳା ଭାସାରେ ଗାଳି ଗୁଲଜ ମଧ୍ୟ କରିଥିଲେ ।

କଲେଜ ପରିସରରେ ହୋଇଥିବା ଏହି ରାଗିଂର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତନାଘନା ଆରମ୍ଭ ହୋଇଯାଇଥିଲା। ଏ ସଂପର୍କରେ ଛାତ୍ରୀଙ୍କ ବାପା ବଡ଼ଗଡ଼ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ଭାଇରାଲ୍ ଭିଡିଓରୁ ଛାତ୍ରମାନଙ୍କୁ ଠାବ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ୩ଜଣ ନାବାଳକ ଥିବାରୁ ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇ ବାଳସୁଧାର ଗୃହରେ ଛଡ଼ା ଯାଇଛି। ଅନ୍ୟ ଜଣେ ସାବାଳକ ଛାତ୍ର ଚିନ୍ମୟକୁ କୋର୍ଟଚାଲାଣ କରାଯାଇଛି। ତେବେ ଚିନ୍ମୟ ଓ ଜଣେ ନାବାଳକଙ୍କ ନାମରେ ପୂର୍ବରୁ ମଧ୍ୟ ରାଗିଂ ନେଇ ଥାନାରେ ଅଭିଯୋଗ ରହିଛି । ଏହି ଘଟଣାରେ ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ରାଗିଂ ନୁହେଁ। ବ୍ୟକ୍ତିଗତ ବିବାଦକୁ କେନ୍ଦ୍ର କରି ଛାତ୍ରଙ୍କୁ ଆକ୍ରମଣ ହୋଇଛି। ଅଭିଯୋଗକୁ ଆଧାର କରି ପୁଲିସ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। କୌଣସି ଶିକ୍ଷାନୁଷ୍ଠାନରେ ରାଗିଂ କିମ୍ବା ଅନ୍ୟ କୌଣସି ଆପରାଧିକ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ।