ଦୀପାବଳିରେ ଫୁଟାଇବେ କେଉଁ ବାଣ?

ନୂଆଦିଲ୍ଲୀ : ଦୀପାବଳି କଥା ଉଠିଲେ ପ୍ରଥମେ ଜାକଜକମ ଲାଇଟ ସହ ଭଳିକି ଭଳି ବାଣ କଥା ମନକୁ ଆସିଯାଏ | କିନ୍ତୁ ଚଳିତ ଥର ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ | ତେବେ ସୁପ୍ରିମକୋର୍ଟଙ୍କ କଟକଣା ପରେ ଦୀପାବଳିରେ କେଉଁ ବାଣ ଫୁଟାଇବେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି, ୧୨୫ ଡେସିବିଲରୁ ଅଧିକ ଶଦ୍ଦ ପ୍ରଦୂଷଣ ବାଣ ଫୁଟିବ ନାହିଁ । ଅଧିକ ଶବ୍ଦ ଓ ପ୍ରଦୂଷଣ କରୁଥିବା ବାଣ ଫୁଟାଇପାରିବେ ନାହିଁ । ସବୁଜ ବାଣ ଫୁଟାଇବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ । ବୋରିୟମ ସଲ୍ଟ ଓ ରାସାୟନିକ ସାମଗ୍ରୀ ବ୍ୟବହାରକାରୀ ବାଣ ଉପରେ ରୋକ୍ ଲାଗିଛି ।

ସେପଟେ କୋର୍ଟ କହିଛନ୍ତି, ବାଣ ଦୋକାନରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ । ତେବେ ସବୁଜ ବାଣ କ’ଣ? କେମିତି ଚିହ୍ନିବେ ସବୁଜ ବାଣ? ସେହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି | ତେବେ ସବୁଜ ବାଣରେ ସବୁଜ ରଙ୍ଗ ଲୋଗୋ ଥାଏ । ସବୁଜ ବାଣ ଧୂଆଁ କିମ୍ବା ପାଉଁଶ ସୃଷ୍ଟି କରେ ନାହିଁ । ବାଣ ଫୁଟିଲେ ଏହାର ଶଦ୍ଦ ୧୧୦ରୁ ୧୨୫ ଡେସିମିଲ ମଧ୍ୟରେ ସୀମିତ ଥାଏ । ଏହି ବାଣ ପରିବେଶକୁ କୌଣସି କ୍ଷତି ପହଞ୍ଚାଇନଥାଏ ଓ ପ୍ରଦୂଷଣ ରହିତ ହୋଇଥାଏ ।